ନୂଆଦିଲ୍ଲୀ: ଆଇଚି-ନାଗୋୟାଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା ୨୦୨୬ରେ, ଆମନ ଫାଇନାଲ୍ ମୁକାବିଲାରେ ଉତ୍ତର କୋରିଆର ହାନ ଚୋଙ୍ଗ୍ ସୋଙ୍ଗଙ୍କୁ ପରାସ୍ତ କରି ପୁରୁଷ ୫୭ କିଗ୍ରା ଫ୍ରିଷ୍ଟାଇଲ୍ କୁସ୍ତି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ଆମନଙ୍କର ଦ୍ୱିତୀୟ ଏସୀୟ କ୍ରୀଡ଼ା ପଦକ; ସେ ପୂର୍ବରୁ ହାଙ୍ଗଜୋ ୨୦୨୨ ସଂସ୍କରଣରେ ସମାନ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ମୁକାବିଲା ବେଶ୍ କଡ଼ା ଟକ୍କରପୂର୍ଣ୍ଣ ଥିଲା ଏବଂ ଆରମ୍ଭରେ ଉଭୟ ଖେଳାଳିଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖିବାକୁ ମିଳିନଥିଲା। ତଥାପି, ଆମନ ମ୍ୟାଚର ପ୍ରଥମ ପଏଣ୍ଟ ହାସଲ କରି ଅଗ୍ରଣୀ ହୋଇପାରିଥିଲେ। ଆହତଜନିତ ବିରତି ପରେ ସେ ସୁଯୋଗର ଫାଇଦା ଉଠାଇଥିଲେ ଏବଂ ଅଳ୍ପ ସମୟ ମଧ୍ୟରେ ୬-୧ରେ ଅଗ୍ରଣୀ ହୋଇଯାଇଥିଲେ। ତେବେ, ଉତ୍ତର କୋରିଆର ଖେଳାଳିଙ୍କ ପାଇଁ ନିଆଯାଇଥିବା ଅନ୍ୟ ଏକ ଆହତଜନିତ ବିରତି ତାଙ୍କୁ ମ୍ୟାଚର ମୋଡ଼ ବଦଳାଇବାରେ ସାହାଯ୍ୟ କରିଥିଲା ଏବଂ ସେ ଖୁବ୍ ଶୀଘ୍ର ଆମନଙ୍କୁ “ପିନ୍’ କରି ଅଗ୍ରଣୀ ହୋଇଯାଇଥିଲେ। କିନ୍ତୁ, ମ୍ୟାଚ୍ ଶେଷ ହେବାକୁ ଗୋଟିଏ ମିନିଟରୁ କମ୍ ସମୟ ବାକି ଥିବାବେଳେ, ଆମନ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ “ପିନ୍’ କରି ଓ ଘୂରାଇ ଏକ ସାମାନ୍ୟ କିନ୍ତୁ ନିର୍ଣ୍ଣାୟକ ଅଗ୍ରଣୀ ସ୍ଥାନ ହାସଲ କରିପାରିଥିଲେ। ଗତକାଲି ସୁଜିତ୍ କାଲକାଲଙ୍କ ସ୍ୱର୍ଣ୍ଣ ପଦକ ପରେ ଏହି କ୍ରୀଡ଼ାରେ ଫ୍ରିଷ୍ଟାଇଲ୍ କୁସ୍ତିରେ ଭାରତର ଏହା ଦ୍ୱିତୀୟ ଏବଂ ସାମଗ୍ରିକ ଭାବେ ଚତୁର୍ଥ ପଦକ ଅଟେ।
