ତିରୁଅନନ୍ତପୁରମ୍: ଏଠାରେ ଥିବା ଏକ ଘରୋଇ ହସ୍ପିଟାଲରେ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଜଣେ ୯ ବର୍ଷୀୟା ବାଳିକାଙ୍କ ପାକସ୍ଥଳୀ ଓ କ୍ଷୁଦ୍ର ଅନ୍ତନଳୀରୁ ୧ କିଲୋଗ୍ରାମ ଓଜନର କେଶର ପିଣ୍ଡୁଳା ବାହାର କରାଯାଇଛି। “ରାପୁଞ୍ଜେଲ ସିଣ୍ଡ୍ରୋମ୍’ରେ ପୀଡ଼ିତ ଥିବା ଏହି ବାଳିକାଙ୍କର ନିକଟସ୍ଥ ନେୟାତ୍ତିନକାରା ସ୍ଥିତ “ନିମ୍ସ ମେଡିସିଟି’ରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, କ୍ରମାଗତ ପେଟ ଯନ୍ତ୍ରଣା ଓ ବାନ୍ତି ସମସ୍ୟା ନେଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଲଟ୍ରାସାଉଣ୍ଡ ଓ ସିଟି ସ୍କାନରୁ ଅନ୍ତନଳୀରେ ଗୁରୁତର ଅବରୋଧ ଥିବା ଜଣାପଡ଼ିଥିଲା ଏବଂ ପରବର୍ତ୍ତୀ ଏଣ୍ଡୋସ୍କୋପି ଯାଞ୍ଚରୁ ପାକସ୍ଥଳୀ ଓ କ୍ଷୁଦ୍ର ଅନ୍ତନଳୀରେ ବହୁ ପରିମାଣର କେଶ ଜମା ହୋଇ ରହିଥିବା ନିଶ୍ଚିତ ହୋଇଥିଲା। ହସ୍ପିଟାଲର ଶିଶୁ ସର୍ଜରୀ ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ବିଜୁ ଆଇ.ଜି. ନାୟାରଙ୍କ ନେତୃତ୍ୱରେ ଏକ ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟା ମାଧ୍ୟମରେ ଏହି କେଶର ପିଣ୍ଡୁଳାକୁ ସମ୍ପୂର୍ଣ୍ଣ ଭାବେ ବାହାର କରାଯାଇଥିଲା। ଡାକ୍ତର କହିଛନ୍ତି ଯେ ବାଳିକା ଜଣକ ସୁସ୍ଥ ହୋଇଉଠିଛନ୍ତି, ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ ତାଙ୍କୁ ଡିସଚାର୍ଜ କରାଯାଇଛି। ଡାକ୍ତର ନାୟାର କହିଛନ୍ତି ଯେ ଯେତେବେଳେ କୌଣସି ବ୍ୟକ୍ତି ବାରମ୍ବାର ନିଜ କେଶ ଟାଣି ଖାଇଯାଆନ୍ତି, ସେତେବେଳେ “ଟ୍ରାଇକୋବେଜୋଆ’ର୍ ବା କେଶର ପିଣ୍ଡୁଳା ସୃଷ୍ଟି ହୋଇଥାଏ। ଖିଆଯାଇଥିବା କେଶ ହଜମ ହୋଇପାରେ ନାହିଁ ଏବଂ ଧୀରେ ଧୀରେ ପାକସ୍ଥଳୀରେ ଜମା ହୋଇ ଏକ କଠିନ ପିଣ୍ଡୁଳା ସୃଷ୍ଟି କରେ, ଯାହା ସମୟକ୍ରମେ ଅନ୍ତନଳୀରେ ଅବରୋଧ ସୃଷ୍ଟି କରିପାରେ। ଏହି ଅସ୍ତ୍ରୋପଚାରକାରୀ ଦଳରେ ବରିଷ୍ଠ ପିଲାଙ୍କ ସର୍ଜନ (ପିଡିଆଟ୍ରିକ୍ ସର୍ଜନ୍) ଡାକ୍ତର ରାଜେନ୍ଦ୍ରନ୍ ଏସ୍, ମେଡିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ନିହାର, ଆନାସ୍ଥେଟିଷ୍ଟ ଡାକ୍ତର ଇଜାସ୍, ଶିଶୁ ଓ ନବଜାତ ଶିଶୁ ରୋଗ ବିଭାଗର ମୁଖ୍ୟ ଡାକ୍ତର ହସିନା ଏବଂ ନର୍ସିଂ କର୍ମଚାରୀ ଶ୍ରୀକୁଟ୍ଟି ସାମିଲ ଥିଲେ। “ରାପୁଞ୍ଜେଲ୍ ସିଣ୍ଡ୍ରୋମ୍’ ହେଉଛି ଏକ ଅତ୍ୟନ୍ତ ବିରଳ ଅବସ୍ଥା, ଯେଉଁଥିରେ ପାକସ୍ଥଳୀରୁ ଏକ “ଟ୍ରାଇକୋବେଜୋ’ର୍ (କେଶର ଗୁଚ୍ଛ) ବଢ଼ି ଛୋଟ ଅନ୍ତନଳୀ ପର୍ଯ୍ୟନ୍ତ ପହଞ୍ଚିଯାଏ। ଚିକିତ୍ସା ସମ୍ବନ୍ଧୀୟ ତଥ୍ୟ ଅନୁଯାୟୀ, ଏହା ସାଧାରଣତଃ କିଶୋରୀ ବାଳିକାମାନଙ୍କଠାରେ ଦେଖିବାକୁ ମିଳିଥାଏ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କହିବାନୁସାରେ, ସମଗ୍ର ବିଶ୍ୱରେ ଏପରି ୧୦୦ରୁ କମ୍ ମାମଲା ରିପୋର୍ଟ କରାଯାଇଛି।
