ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ଦଳ ପାଇଁ ସ୍ୱର୍ଣ୍ଣ ପଦକର ବର୍ଷା ହେଉଛି। ଲଭଲିନା ବୋର୍ଗୋହେନ୍ଙ୍କ ସ୍ୱର୍ଣ୍ଣ ବିଜୟ ପରେ, ଭାରତର ପରଭୀନ୍ ହୁଡା ମଧ୍ୟ ସେହି ପଥ ଅନୁସରଣ କରି ମହିଳା ୬୫ କିଗ୍ରା ବକ୍ସିଂ ଫାଇନାଲରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ ମୁକାବିଲାରେ ସେ ଚାଇନିଜ୍ ତାଇପେଇର ଚେନ୍ଙ୍କ ସହ ଲଢ଼ିଥିଲେ। ଉଭୟ ଖେଳାଳିଙ୍କ ମଧ୍ୟରେ ଏକ କଡ଼ା ମୁକାବିଲା ହୋଇଥିଲା, କିନ୍ତୁ ହୁଡା ୩-୨ ସ୍କୋରରେ “ସ୍ପ୍ଲିଟ୍ ଡିସିଜନ୍’ ମାଧ୍ୟମରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଏହି ମୁକାବିଲା ଅନ୍ତିମ ରାଉଣ୍ଡ ପର୍ଯ୍ୟନ୍ତ ଚାଲିଥିଲା। ଯେଉଁଠାରେ ଚେନ୍ ଆକ୍ରମଣାତ୍ମକ ଭାବେ ଖେଳ ଆରମ୍ଭ କରି କିଛି “ହୁକ୍’ ମାରିଥିଲେ, ସେଠାରେ ପରଭୀନ୍ ଚମତ୍କାର “ୱାନ୍-ଟୁ’ (୧-୨ଗ୍ଦ) ପଞ୍ଚ୍ ସହିତ ପ୍ରତି-ଆକ୍ରମଣ କରିଥିଲେ ଏବଂ ଶେଷରେ ବିଜୟୀ ହୋଇଥିଲେ। ଉଲ୍ଲେଖନୀୟ ଯେ, ଏହି ସ୍ୱର୍ଣ୍ଣ ପଦକ ବିଜୟ ପରଭୀନ୍ଙ୍କ ପାଇଁ ଏକ ପ୍ରକାରର ପ୍ରତ୍ୟାବର୍ତ୍ତନ କାହାଣୀ ସଦୃଶ; ପୂର୍ବ ଏସୀୟ କ୍ରୀଡ଼ାରେ “ଡୋପିଂ ୱେୟାରଆବାଉଟ୍ସ ଫେଲ୍ୟୁର କାରଣରୁ ସେ ବ୍ରୋଞ୍ଜ ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ। ସେହି ଅନୁଭୂତିରୁ ଶିକ୍ଷା ନେଇ ହୁଡା ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଫାଇନାଲରେ ଚେନ୍ଙ୍କୁ ପରାସ୍ତ କରି ଭାରତ ପାଇଁ ଆଉ ଏକ ସ୍ୱର୍ଣ୍ଣ ପଦକ ଆଣିଥିଲେ। ଏହା ପୂର୍ବରୁ ସେହି ଦିନ, ଷ୍ଟାର୍ ବକ୍ସର ଲଭଲିନା ବୋର୍ଗୋହେନ୍ ଚୀନ୍ର ବାଓ ଜିୟିଙ୍କୁ ପରାସ୍ତ କରି ମହିଳା ୭୫ କିଗ୍ରା ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ସ୍ୱର୍ଣ୍ଣ ପଦକ ଜିତିବା ତାଙ୍କ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ, ସେ ବିଷୟରେ ନିଜର ମତାମତ ରଖିଥିଲେ।
