ନୂଆଦିଲ୍ଳୀ: ଏସୀୟ କ୍ରୀଡ଼ା ୨୦୨୬ରେ ବକ୍ସିଂ ଇଭେଣ୍ଟରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ଚମତ୍କାର ରହିଛି। ଲଭଲିନା ବୋର୍ଗୋହେନ୍ ଏବଂ ପରଭୀନ୍ ହୁଡାଙ୍କ ସ୍ୱର୍ଣ୍ଣ ପଦକ ବିଜୟ ପରେ, ଅଙ୍କୁଶ ପାଙ୍ଗାଲ୍ ମଧ୍ୟ ପୁରୁଷ ୮୦ କିଗ୍ରା ବକ୍ସିଂ ଇଭେଣ୍ଟର ଫାଇନାଲ୍ ମୁକାବିଲାରେ ଦକ୍ଷିଣ କୋରିଆର କିମ୍ ମିନ୍-ସୋଙ୍ଗଙ୍କୁ ପରାସ୍ତ କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଖେଳ ସମୟରେ ଅଙ୍କୁଶ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରୁଥିବା ବେଳେ ଦକ୍ଷିଣ କୋରିଆର ଖେଳାଳି ନିଜକୁ ଦୂରରେ ରଖି ଖେଳୁଥିଲେ। ଭାରତୀୟ ବକ୍ସର କିଛି “ଅପ୍କଟ୍’ ମାରିଥିଲେ ଏବଂ ଏହି ସମୟରେ ମିନ୍-ସୋଙ୍ଗ୍ ଏକ “ୱାର୍ଣ୍ଣିଂ ପଏଣ୍ଟ’ ମଧ୍ୟ ପାଇଥିଲେ। ପ୍ରଥମ ରାଉଣ୍ଡ ଶେଷ ବେଳକୁ ଅଙ୍କୁଶ ୪-୧ ସ୍କୋରରେ ଆଗୁଆ ରହି ନିଜର ପ୍ରାଧାନ୍ୟ ବିସ୍ତାର କରିଥିଲେ। ଦ୍ୱିତୀୟ ରାଉଣ୍ଡ ଆରମ୍ଭରେ ଅଙ୍କୁଶ କିଛି ଦ୍ରୁତ “ପଞ୍ଚ’ ମାରିଥିଲେ। ଉଭୟ ବକ୍ସର ପରସ୍ପରକୁ ଶରୀର ଉପରେ ଆଘାତ କରିଥିଲେ। ଯେତେବେଳେ ଦକ୍ଷିଣ କୋରିଆର ବକ୍ସର ଆକ୍ରମଣାତ୍ମକ ହୋଇ ଖେଳିବା ଆରମ୍ଭ କଲେ, ଅଙ୍କୁଶ “କାଉଣ୍ଟର-ପଞ୍ଚିଂ’ ରଣନୀତି ଆପଣାଇଥିଲେ ଏବଂ କ୍ରମାଗତ ଭାବେ ପଏଣ୍ଟ ହାସଲ କରି ୫-୦ ସ୍କୋରରେ ଦ୍ୱିତୀୟ ରାଉଣ୍ଡ ନିଜ ନାମରେ କରିଥିଲେ। ତୃତୀୟ ରାଉଣ୍ଡରେ ମଧ୍ୟ ଅଙ୍କୁଶ ପୁନର୍ବାର “କାଉଣ୍ଟର-ପଞ୍ଚିଂ’ର ସହାୟତା ନେଇଥିଲେ। କିମ୍ ମିନ୍-ସୋଙ୍ଗ୍ ପଏଣ୍ଟ ହାସଲ କରିବା ଲକ୍ଷ୍ୟରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରୁଥିବା ବେଳେ, ଅଙ୍କୁଶ ନିଜର ସଂଯମତା ବଜାୟ ରଖିଥିଲେ ଏବଂ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ନିଜର ବଡ଼ ଅଗ୍ରଣୀ ସ୍ଥିତିକୁ କାଏମ ରଖିଥିଲେ। ସେ ୪-୦ ସ୍କୋରରେ ତୃତୀୟ ରାଉଣ୍ଡ ଜିତିଥିଲେ ଏବଂ ଏସୀୟ କ୍ରୀଡ଼ା ୨୦୨୬ରେ ଭାରତ ପାଇଁ ୧୪ତମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।
