ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ପୁରୀବାସୀଙ୍କ ପାଇଁ କେବଳ ଆରାଧ୍ୟ ଦେବତା ନୁହଁନ୍ତି, ସେ ହେଉଛନ୍ତି ପୁରୀର ଜୀବନ, ପରିଚୟ ଓ ଭାବନାର ଅବିଚ୍ଛିନ୍ନ ଅଂଶ। ସେହି ଆସ୍ଥାକୁ ହୃଦୟରେ ଧରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ପାଇଁ ପୁରୀବାସୀଙ୍କ ନିମନ୍ତେ ସ୍ଥାୟୀ ଓ ସମ୍ମାନଜନକ ବ୍ୟବସ୍ଥା ଦାବିରେ ଚାଲିଥିବା ନିରବ ପଦଯାତ୍ରା ଆଜି ୧୮୪ ଦିନରେ ପହଞ୍ଚିଛି। ଦିନ ପରେ ଦିନ ବିତୁଛି। ଋତୁ ବଦଳୁଛି। ଖରା, ବର୍ଷା ଓ ବିଭିନ୍ନ ପ୍ରତିକୂଳତା ଆସୁଛି। କିନ୍ତୁ ସତ୍ୟାଗ୍ରହୀମାନଙ୍କ ପାଦ ଥମିନାହିଁ, ସଂକଳ୍ପ ଭାଙ୍ଗିନାହିଁ। ନିରବତାକୁ ଅସ୍ତ୍ର କରି, ଅହିଂସାକୁ ମାର୍ଗ କରି ସେମାନେ ପ୍ରତିଦିନ ପଦଯାତ୍ରା କରି ନିଜ ଦାବିର କଥା ଜଣାଇ ଆସୁଛନ୍ତି। ଏହି ୧୮୪ ଦିନ କେବଳ ଦିନ ଗଣନା ନୁହେଁ। ଏହା ହେଉଛି ଅପେକ୍ଷାର ୧୮୪ ଦିନ, ଆଶାର ୧୮୪ ଦିନ ଏବଂ ନିଜ ଆସ୍ଥା ପାଇଁ ଶାନ୍ତିପୂର୍ଣ୍ଣ ଭାବେ ସ୍ୱର ଉଠାଇବାର ୧୮୪ ଦିନ। ନିଜ ଜନ୍ମମାଟିର ଆରାଧ୍ୟ ମହାପ୍ରଭୁଙ୍କୁ ସହଜରେ, ସମ୍ମାନର ସହ ଦର୍ଶନ କରିବାର ଆକାଂକ୍ଷା ନେଇ ପୁରୀବାସୀ ଆଜି ମଧ୍ୟ ଏକ ସ୍ଥାୟୀ ସମାଧାନର ଅପେକ୍ଷାରେ ଅଛନ୍ତି। ସମୟ ଲମ୍ବା ହେଉଛି, କିନ୍ତୁ ଆଶା ମରିଯାଇନାହିଁ।

ଦାବି ପୂରଣ ହୋଇନାହିଁ, କିନ୍ତୁ ସଂକଳ୍ପରେ କୌଣସି ଭାଙ୍ଗନ ଆସିନାହିଁ। ସତ୍ୟାଗ୍ରହୀମାନଙ୍କ ବିଶ୍ୱାସ; ଆଲୋଚନା, ସହମତି ଓ ସମ୍ବେଦନଶୀଳ ପଦକ୍ଷେପ ମାଧ୍ୟମରେ ଏହି ପ୍ରସଙ୍ଗର ଏକ ସ୍ଥାୟୀ ସମାଧାନ ବାହାରିପାରିବ। ଏହି ଆନ୍ଦୋଳନ କାହା ବିରୋଧରେ ନୁହେଁ। ଏହା ଏକ ଶାନ୍ତିପୂର୍ଣ୍ଣ ଆବେଦନ; ପୁରୀବାସୀଙ୍କ ଭାବନାକୁ ବୁଝିବା ପାଇଁ, ସେମାନଙ୍କ ଦୀର୍ଘଦିନର ଆକାଂକ୍ଷାକୁ ସମ୍ମାନ ଦେବା ପାଇଁ ଏବଂ ଶ୍ରୀମନ୍ଦିର ଦର୍ଶନ ସମ୍ପର୍କିତ ଏକ ସ୍ଥାୟୀ ବ୍ୟବସ୍ଥା ପାଇଁ। ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶକୁ ଆଧାର କରି ଏହି ନିରବ ପଦଯାତ୍ରା ନିଜର ଲକ୍ଷ୍ୟ ଦିଗରେ ଆଗେଇ ଚାଲିଛି।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ପୁରୀବାସୀଙ୍କ ଏହି ଭାବନା ଓ ଆକାଂକ୍ଷାକୁ ସରକାର ଗୁରୁତ୍ୱର ସହ ବିଚାର କରିବା ଆବଶ୍ୟକ। ଆଲୋଚନା ଓ ସହମତିର ମାଧ୍ୟମରେ ଏକ ସ୍ଥାୟୀ ସମାଧାନ ପାଇଁ ସେ ଆଶା ପ୍ରକାଶ କରିବା ସହ ମହାପ୍ରଭୁଙ୍କ ପ୍ରତି ଭକ୍ତି ଏବଂ ଅହିଂସାର ଶକ୍ତି ଉପରେ ଆସ୍ଥା ରଖି ସତ୍ୟାଗ୍ରହ ଜାରି ରହିବ ବୋଲି କହିଛନ୍ତି।ଗୁରୁବାର ନିରବ ପଦଯାତ୍ରାରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ନୃସିଂହନାଥ ନାୟକ, ପ୍ରକାଶ ଚନ୍ଦ୍ର ନାୟକ, ଜଗଦାନନ୍ଦ ରାୟ, କିଶୋର ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ମହାନ୍ତି, ସନ୍ଧ୍ୟାରାଣୀ ମିଶ୍ର, ଭାରତୀ ମହାନ୍ତି, କୁମୁଦିନୀ ସ୍ୱାଇଁ, ବିପାଶା ସିଂହ, କଣ୍ଢେଇ ପ୍ରଧାନ, ମମତା ସ୍ୱାଇଁ, ଶିଶିରକାନ୍ତ ଶତପଥୀ, ମନୋରଞ୍ଜନ ରଣସିଂହ, ଗଦାଧର ମହାରଣା, ଅଭିମନ୍ୟୁ ରାୟଗୁରୁ, ବରୁଣ ମହାପାତ୍ର, ଲାବଣ୍ୟ ସୁନାମୁଦି, ଜୟପ୍ରକାଶ ସାମନ୍ତରା ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ସାମିଲ ହୋଇଥିଲେ।

୧୮୪ ଦିନର ଏହି ନିରବ ଯାତ୍ରା ଆଜି ଏକ ଅପେକ୍ଷାର ପ୍ରତୀକ ପାଲଟିଛି। ପାଦରେ ଥକାଣ ଥାଇପାରେ, କିନ୍ତୁ ମନରେ ନାହିଁ କ୍ଲାନ୍ତି। ଦୀର୍ଘ ଅପେକ୍ଷା ସତ୍ତ୍ୱେ ଆଶା ଅକ୍ଷୁଣ୍ଣ ରହିଛି। ପୁରୀବାସୀଙ୍କ ଭାବନା, ଆସ୍ଥା ଓ ମର୍ଯ୍ୟାଦାକୁ ସମ୍ମାନ ଦେଇ ଶ୍ରୀମନ୍ଦିର ଦର୍ଶନ ପାଇଁ ସ୍ଥାୟୀ ବ୍ୟବସ୍ଥା ହେବା ପର୍ଯ୍ୟନ୍ତ ଏହି ନିରବ ସତ୍ୟାଗ୍ରହ ଅବିଚଳ ସଂକଳ୍ପର ସହ ଜାରି ରହିବ। ପାଦ ଚାଲିଛି, ପ୍ରାର୍ଥନା ଚାଲିଛି, ଅପେକ୍ଷା ବି ଚାଲିଛି; ମହାପ୍ରଭୁଙ୍କ କୃପାରେ ସ୍ଥାୟୀ ସମାଧାନର ଆଶା ନେଇ।
