ବାଲିଅନ୍ତା: ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ ଘଟଣାରେ ଧଉଳି ଥାନା ପୁଲିସ ଆଜି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସମ୍ପୃକ୍ତ ଅଭିଯୁକ୍ତ ହେଲେ ପିପିଲି ଥାନା ବିନ୍ଧା ଗ୍ରାମର ଟୁକଟୁକ ଓରଫ ସ୍ୱାଗତ ଶୁଭଙ୍କର ପ୍ରଧାନ ଏବଂ ଧଉଳି ଥାନା ନଖାଉର ଗ୍ରାମର ଗୁଡ଼ୁ ଓରଫ ବିଶ୍ୱମୋହନ ପ୍ରଧାନ।ଟୁକଟୁକ ନାମରେ ପୂର୍ବରୁ ବଡ଼ଗଡ଼ ଥାନାରେ ମାମଲା ରହିଛି । ଖବରନେବାରେ ଜଣାପଡିଛି ଗତ ୧୩ ତାରିଖରେ ଅପରାହ୍ନ ପ୍ରାୟ ୫ ଟାରେ ନଖାଉର ଗ୍ରାମର ରଜନୀକାନ୍ତ ନାୟକ ଧଉଳି ପାହାଡ଼ ସ୍ଥିତ ଏକ ଭେରାଇଟ ଷ୍ଟୋର ନିକଟରେ ଠିଆ ହୋଇଥିଲା ।ଏହି ସମୟରେ ରଜନୀ ଓ ଅଭିଯୁକ୍ତ ଟୁକଟୁକ ଏବଂ ଗୁଡ଼ୁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହାର କିଛି ସମୟ ପରେ ଅଭିଯୁକ୍ତ ମାନଙ୍କ ସହଯୋଗୀ ୧୦ ରୁ ୧୫ ଜଣ ଯୁବକ ମୋଟର ସାଇକଲରେ ଆସି ରଜନୀଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ରଡ଼, ବଲ୍ହା, ମାରଣାସ୍ତ୍ରରେ ଆକ୍ରମଣ ଦ୍ୱାରା ଜୀବନ ବିକଳରେ ରଜନୀ ଚିତ୍କାର କରିବା ସହ ଅଚେତ ଅବସ୍ଥାରେ ପଡିଯାଇଥିଲେ।ପରେ ଆକ୍ରମଣକାରୀ ମାନେ ସେଠାରୁ ପଳାଇଥିଲେ । ଖବରପାଇ ରଜନୀଙ୍କ ଭାଇ ସନ୍ତୋଷ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ଏନେଇ ସନ୍ତୋଷ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ତଦନ୍ତ କରିଥିବା ବେଳେ ଘଟଣାର ୧୬ ଦିନ ପରେ ଗତକାଲି ରାତିରେ ଉପରୋକ୍ତ ୨ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଏହି ଘଟଣାରେ ଅନ୍ୟମାନେ ଫେରାର ଥିବାବେଳେ ପୁଲିସ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।
