ତେଲଆଭିଭ୍: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କହିବାନୁସାରେ, ଇସ୍ରାଏଲ୍ ଅଭିମୁଖେ ଯାଉଥିବା ଏକ ବିମାନରେ ଜଣେ ପାଇଲଟ୍ ଅନ୍ୟ ଜଣେ ପାଇଲଟଙ୍କୁ ଛୁରୀ ଭୁସିିଥିଲେ ଏବଂ “ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଚେଷ୍ଟା କରିଥିଲେ’। ବିମାନଟି ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ସମୟରେ ଦୁଇ ମିନିଟରୁ କମ୍ ସମୟ ମଧ୍ୟରେ ୧୭,୦୦୦ ଫୁଟ୍ (୫,୨୦୦ ମିଟର) ତଳକୁ ଖସିପଡ଼ିଥିଲା ଏବଂ ପରେ ଏହାକୁ ସାଉଦି ଆରବକୁ ମୋଡ଼ି ଦିଆଯାଇଥିଲା।
ଜଣେ ଯାତ୍ରୀଙ୍କ କହିବାନୁସାରେ, ତିନିରୁ ପାଞ୍ଚ ଜଣ ବ୍ୟକ୍ତି କକପିଟ୍ ଭିତରକୁ ପଶି ଆସି ଆକ୍ରମଣକାରୀଙ୍କୁ କାବୁ କରିବା ପୂର୍ବରୁ ସମଗ୍ର ବିମାନରେ ଭୟଙ୍କର ଚିତ୍କାର ଶୁଣିବାକୁ ମିଳିଥିଲା। ଅନ୍ୟ ଜଣେ ଯାତ୍ରୀ କହିଛନ୍ତି ଯେ ସେମାନେ ଛୁରୀ ଧରିଥିବା ଜଣେ ଆକ୍ରମଣକାରୀଙ୍କଠାରୁ ବିମାନର ନିୟନ୍ତ୍ରଣ ନିଜ ହାତକୁ ନେଇଥିଲେ – ଏହି ସମୟରେ, ପଛରେ ବସିଥିବା ଅନ୍ୟ ଦୁଇଜଣ ପାଇଲଟ୍ ବିମାନ ଅବତରଣ କରାଇବା ପାଇଁ ଆଗକୁ ଆସିଥିଲେ। ନେତାନ୍ୟାହୁ କହିଛନ୍ତି ଯେ ଆକ୍ରମଣ କରିଥିବା ପାଇଲଟଙ୍କୁ ଗିରଫ କରାଯାଇଛି ଏବଂ ସାଉଦି କର୍ତ୍ତୃପକ୍ଷ ତାଙ୍କୁ ପଚରାଉଚରା କରୁଛନ୍ତି। ସେ ବିମାନକୁ ସ୍ଥିର ଅବସ୍ଥାକୁ ଆଣିବାରେ ସାହାଯ୍ୟ କରିଥିବା ବୀରମାନଙ୍କୁ ସମ୍ମାନ ଜଣାଇ କହିଛନ୍ତି ଯେ ସେମାନେ ଅନେକ ଜୀବନ ରକ୍ଷା କରିଛନ୍ତି ଏବଂ ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡ଼ାଇ ଦେଇଛନ୍ତି।
