ଆସିକା: ଆସିକା ସହର ଓ ଉପକଣ୍ଠରେ ବେଆଇନ ଗୁଟଖା, ତମାଖୁ ଓ ସିଗାରେଟ ବିକ୍ରି ଉପରେ ରୋକ ଲଗାଇବାକୁ ଅବକାରୀ ବିଭାଗ ଓ ଆସିକା ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଛି। ସୁନାମ ସାହି, ବସଷ୍ଟାଣ୍ଡ, ବଜାର ସାହି, ବିଜୁ ଛକ, କାଳଷଣ୍ଡପୁର ଛକ ସମେତ ବିଭିନ୍ନ ଅଞ୍ଚଳରେ ଥିବା ଦୋକାନଗୁଡ଼ିକରେ ଅତର୍କିତ ଯାଞ୍ଚ କରାଯାଇଥିଲା। ଏହି ଚଢ଼ାଉ ସମୟରେ ବେଆଇନ ଭାବେ ଗୁଟଖା, ତମାଖୁ ଓ ସିଗାରେଟ ବିକ୍ରି ନେଇ ଅବକାରୀ ବିଭାଗ ପକ୍ଷରୁ ୩୧ଟି ମାମଲା ରୁଜୁ କରାଯାଇଥିବା ବେଳେ ପ୍ରାୟ ୪ ହଜାର ୬ ଶହ ଟଙ୍କା

ଜୋରିମାନା ଆଦାୟ କରାଯାଇଛି। ତମାଖୁଜାତ ଦ୍ରବ୍ୟର ଅବାଧ ବିକ୍ରି ଉପରେ ଲଗାମ ଲଗାଇବା ସହ ନିୟମ ଉଲ୍ଲଂଘନକାରୀଙ୍କୁ ଆଇନର ପରିସରକୁ ଆଣିବା ଚଢ଼ାଉର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଚଢ଼ାଉରେ ଆସିକା ପୋଲିସ ଓ ଆସିକା ଅବକାରୀ ବିଭାଗ ଓ.ଆଇ.ସି ଦିପଦିୟୋତନ ବିଶ୍ୱାଳଙ୍କ ସହ କନେଷ୍ଟବଳ ସିଦ୍ଧାନ୍ତ ବିଷୋୟୀ, ଶ୍ରୀକାନ୍ତ ବେହେରା ଓ ଜଗନ୍ନାଥ ଶତପଥି ପ୍ରମୁଖ ସାମିଲ ଥିଲେ। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଗୁଟଖା, ପାନମସଲା ଓ ନିକୋଟିନଯୁକ୍ତ ଖାଦ୍ୟ ପଦାର୍ଥର ବେଆଇନ ଉତ୍ପାଦନ, ମହଜୁଦ ଓ ବିକ୍ରି ଉପରେ କଟକଣା ରହିଛି। ଏହାର ଉଲ୍ଲଂଘନ ରୋକିବା ପାଇଁ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଆଗାମୀ ଦିନରେ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ଜଣାପଡ଼ିଛି।
