ପୁରୀ: ଏସଏଫ୍ଆଇ ପୁରୀ ସହର କମିଟି ପକ୍ଷରୁ ସହରର ଅଠରନଳା ନିକଟସ୍ଥ ମାଳତୀ ଗାର୍ଡେନ, ନୀଳଚକ୍ର ନଗରଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ବିପ୍ଲବୀ ସହିଦ୍ ଭଗତ୍ ସିଂହଙ୍କ ଜନ୍ମ ବାର୍ଷିକୀ ଏବଂ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ସହର କମିଟିର ଯୁଗ୍ମ ଆବାହକ ସାଥୀ ସରୋଜ କୁମାର ବେହେରାଙ୍କ ସଭାପତିତ୍ୱରେ ଆଲୋଚନା ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୁରୀ ସହର କମିଟିର ଆବାହକ ପ୍ରଭାତ କୁମାର ପତି ନିଜର ବକ୍ତବ୍ୟ ରଖି କହିଥିଲେ ଯେ, ଭଗତ ସିଂହ ହେଉଛନ୍ତି ଆଜିର ଯୁବସମାଜ ପାଇଁ ସବୁଠାରୁ ବଡ଼ ପ୍ରେରଣାର ଉତ୍ସ। ଛାତ୍ରଛାତ୍ରୀମାନେ ତାଙ୍କର ନିର୍ଭୀକତା ଏବଂ ଆଦର୍ଶକୁ ଆପଣାଇ ନିଜର ପାଠପଢ଼ା ସାଙ୍ଗକୁ ଛାତ୍ର ଅଧିକାର ଓ ସମାଜର ବିଭିନ୍ନ ସମସ୍ୟା ବିରୁଦ୍ଧରେ ଏସଏଫ୍ଆଇର ଲଢ଼େଇକୁ ଆଗକୁ ବଢ଼ାଇବାକୁ ସେ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଦେଇଥିଲେ। ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ରାଜ୍ୟ ସମ୍ପାଦକ ସାଥୀ ଚନ୍ଦନ ସାହୁ ନିଜ ବକ୍ତବ୍ୟରେ କହିଥିଲେ ଯେ ଭଗତ୍ ସିଂହଙ୍କ ବଳିଦାନ କେବଳ ପୁରୁଣା ଇତିହାସର କଥା ନୁହେଁ, ବରଂ ଆଜିର ଦିନରେ ଅନ୍ୟାୟ, ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ମୁଣ୍ଡ ନୂଆଁଇ ନ ରହି ଦୃଢ଼ ଭାବେ ଲଢ଼ିବା ପାଇଁ ଏହା ଆମକୁ ସବୁବେଳେ ଶିକ୍ଷା ଦେଇଥାଏ।ସେହିପରି ରାଜ୍ୟ କମିଟି ସଦସ୍ୟ ମାନସ ରଂଜନ ଦଳବେହେରା ନିଜ ବକ୍ତବ୍ୟରେ ମତ ଦେଇଥିଲେ ଯେ ଆଜିର ଏହି ଜଟିଳ ସମୟରେ ସମାଜକୁ ବଦଳାଇବା ଏବଂ ପ୍ରକୃତ ସମାନତା ଆଣିବା ପାଇଁ ଭଗତ ସିଂହଙ୍କ ସମାଜବାଦି ଚିନ୍ତାଧାରା ଓ ବିଚାର ବହୁତ ବେଶୀ ଜରୁରୀ ଅଟେ।ପୁରୀ ସହର କମିଟି ନାରୀ ନେତ୍ରୀ ବିଚି ବିଶ୍ୱାଳ ଭଗତ ସିଂହଙ୍କ ପ୍ରସିଦ୍ଧ ପୁସ୍ତକ ମୁଁ କାହିଁକି ନାସ୍ତିକ ଉପରେ ଆଲୋଚନା କରି କହିଥିଲେ ଯେ, ସମାଜରୁ ଅନ୍ଧବିଶ୍ୱାସ, ଭୟ ଓ କୁସଂସ୍କାର ଦୂର କରିବା ପାଇଁ ଆମକୁ କେବଳ ଭାବବିହ୍ୱଳ ନ ହୋଇ ବୁଦ୍ଧି, ବିଜ୍ଞାନ ଓ ଯୁକ୍ତି ଦେଇ ଚିନ୍ତା କରିବାକୁ ପଡ଼ିବ। ଆଜିର ଯୁବପିଢ଼ି ଏହି ମୁକ୍ତ ଚିନ୍ତାଚେତନାକୁ ନିଜ ଜୀବନରେ ଆପଣାଇବା ନିହାତି ଆବଶ୍ୟକ।ଏହି କ୍ରମରେ ସ୍ୱତନ୍ତ୍ର ନିମନ୍ତ୍ରିତ ବକ୍ତା ପ୍ରାଧ୍ୟାପକ ସୁରେନ୍ଦ୍ର କୁମାର ଜେନା ଭଗତ ସିଂହଙ୍କ ବିପ୍ଲବୀ ଆଦର୍ଶକୁ ଆଧାର କରି ଦେଶର ବର୍ତ୍ତମାନର ଗଣତାନ୍ତ୍ରିକ ପରିସ୍ଥିତି ତଥା ଶାସକବର୍ଗଙ୍କ ଦ୍ୱାରା ବ୍ୟବହୃତ ଇଭିଏମ୍, ସିବିଆଇ, ଇଡିର ଅପବ୍ୟବହାର ଓ ଭୋଟ୍ ଚୋରି କୌଶଳକୁ କଡ଼ା ସମାଲୋଚନା କରିଥିଲେ। ସେ ସ୍ପଷ୍ଟ କରିଥିଲେ ଯେ ଭଗତ ସିଂହ ଯେଉଁ ସ୍ୱାଧୀନ ଓ ସ୍ୱଚ୍ଛ ଭାରତବର୍ଷର ସ୍ୱପ୍ନ ଦେଖିଥିଲେ, ତାହାକୁ ଧ୍ୱଂସ କରି ଶାସକମାନେ ଯେଉଁ ୫୦ ବର୍ଷ କ୍ଷମତାରେ ରହିବାର ଦମ୍ଭ ଦେଖାଉଛନ୍ତି, ତାହା ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ଅପବ୍ୟବହାର ଏବଂ ନିର୍ବାଚନୀ ପ୍ରକ୍ରିୟାକୁ ହାତରଷା କରି ହାସଲ କରାଯାଉଛି। ତେଣୁ ଭଗତ ସିଂହଙ୍କ ସଂଗ୍ରାମୀ ଚେତନାରୁ ପ୍ରେରଣା ପାଇ ଏହି ଅନ୍ୟାୟ ଓ ଗଣତନ୍ତ୍ର ହତ୍ୟା ବିରୁଦ୍ଧରେ ସିବିଆଇ-ଇଡି କାର୍ଯ୍ୟାଳୟ ଘେରାଉ, ନିର୍ବାଚନ ଆୟୋଗଙ୍କ ଇସ୍ତଫା ଏବଂ ଆବଶ୍ୟକ ପଡ଼ିଲେ ସର୍ବୋଚ୍ଚ ନ୍ୟାୟାଳୟ ତଥା ରାଜ୍ୟବ୍ୟାପୀ ଜନ ଆନ୍ଦୋଳନ ଓ ବିଦ୍ରୋହର ସ୍ୱର ଉତ୍ତୋଳନ କରିବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ; କାରଣ ଭଗତ ସିଂହଙ୍କ ବିଚାର ଅନୁଯାୟୀ ଲୋକେ ହିଁ ସର୍ବମୟ ଓ ସବୁ କ୍ଷମତାର ପ୍ରକୃତ ଅଧିକାରୀ ଅଟନ୍ତି। ସମାରୋହରେ ଅନ୍ୟତମ ବକ୍ତାଭାବେ ସାଥୀ ରାଜେଶ କୁମାର ମହାନ୍ତି, ସାଥୀ କମଳ କୁମାର ପଣ୍ଡା, ସାଥୀ ଓମ୍ ପ୍ରକାଶ ପ୍ରଧାନ, ସାଥୀ ବିଚି ବିଶ୍ୱାଳ, ଯଯାତି କେଶରୀ ପାଇକରାୟ ଓ ଅବିନାଶ ମହାରଣା ପ୍ରମୁଖ ଯୋଗଦେଇ ଭଗତ୍ ସିଂଙ୍କ ଜୀବନୀ ଓ ଆଦର୍ଶ। ଉପରେ ନିଜର ମତାମତ ରଖିଥିଲେ। ଶେଷରେ ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସସ୍ମିତା ସାହୁ, ଆକାଂକ୍ଷା ପ୍ରିୟଦର୍ଶିନୀ, ପ୍ରିୟଦର୍ଶିନୀ ମହାରଣା, ସଞ୍ଜନା ପୃଷ୍ଟି, ଦୀପିକା ପତି, ମାମାଲି ମିଶ୍ର, ରୋଶନ କୁମାର ପଟନାୟକ, ବୀଚି ବିଶ୍ୱାଳ, ପାର୍ବତୀ ରାଉତ ଓ ଇତିଶ୍ରୀ ମହାପାତ୍ର ପ୍ରମୁଖ ଉତ୍ସାହଜନକ ନୃତ୍ୟ, ବିପ୍ଲବୀ ଗୀତ ଓ ଦଳଗତ ସାଂସ୍କୃତିକ କଳା ପରିବେଷଣ କରି ଉପସ୍ଥିତ ସମସ୍ତଙ୍କର ମନ ମୋହିଥିଲେ। ସାଥୀ ସାଇ ନାରାୟଣ ମିଶ୍ର, ନେତ୍ର ମୋହନ ସାହୁ ଓ ନିରଞ୍ଜନ ପ୍ରଧାନ ପ୍ରମୁଖ ଏହି ସମାଗମକୁ ବେଶ ସୁଚାରୁରୂପେ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ସହରର ବିଭିନ୍ନ କଲେଜ ଓ ସ୍କୁଲରୁ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଆଗ୍ରହର ସହ ଯୋଗଦେଇ ଥିଲେ ।
