ଶ୍ରୀନଗର: ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲାରେ ଏକ ଯୁକ୍ତିତର୍କ ପରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସଏଫ)ର ଜଣେ ଯବାନ ଗୁଳି ଚଳାଇ ନିଜର ଜଣେ ଅଧିକାରୀଙ୍କ ସମେତ ୪ଜଣ ସହକର୍ମୀଙ୍କୁ ହତ୍ୟା କରିଛନ୍ତି। ସୂତ୍ର ଅନୁଯାୟୀ, ବସୋହଲିର ମାଶକା ଗ୍ରାମରେ ଥିବା ସେୱା ପାୱାର ପ୍ରୋଜେକ୍ଟରେ ନିୟୋଜିତ ସିଆଇଏସଏଫ୍ ୟୁନିଟ୍ରେ ଏକ ଯୁକ୍ତିତର୍କ ପରେ ସନ୍ଧ୍ୟା ପ୍ରାୟ ୬ଟା୪୦ ସମୟରେ ଏହି ଘଟଣା ଘଟିଥିଲା। ସେୱା ପାୱାର ପ୍ରୋଜେକ୍ଟ ହେଉଛି ସେୱା ନଦୀ ଉପରେ ଅବସ୍ଥିତ ଏକ ଜଳବିଦ୍ୟୁତ୍ କେନ୍ଦ୍ର; ଏହି ନଦୀଟି ରାଭି ନଦୀର ଏକ ଉପନଦୀ ଅଟେ। ମୃତକମାନଙ୍କୁ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅଙ୍କିତ କୁମାର ପାଣ୍ଡେ, ସବ୍-ଇନ୍ସପେକ୍ଟର ଲକ୍ଷ୍ମଣ ସିଂହ, କନଷ୍ଟେବଳ ରଫିକ୍ ଅହମ୍ମଦ ଏବଂ କନଷ୍ଟେବଳ ସନ୍ଦୀପ କୁମାର ଭାବେ ଚିହ୍ନଟ କରାଯାଇଛି। ଅଭିଯୁକ୍ତ ଯବାନ, ଯାହାଙ୍କୁ ହେଡ୍ କନଷ୍ଟେବଳ ଅବଧେଶ କୁମାର ସିଂହ ଭାବେ ଚିହ୍ନଟ କରାଯାଇଛି, ସେ କାର୍ଯ୍ୟାଳୟ ପରିସରରେ ପ୍ରବେଶ କରି ନିଜ ପାଖରେ ଥିବା ଏକେ-୪୭ ରାଇଫଲ୍ ସାହାଯ୍ୟରେ ଅନ୍ଧାଧୁନ ଗୁଳିଚାଳନା କରିଥିଲେ ବୋଲି ଅଭିଯୋଗ ହୋଇଛି। ସିଆଇଏସଏଫ ଅନୁଯାୟୀ, ତାଙ୍କ ପାଖରେ ୧୫୦ ରାଉଣ୍ଡ ଗୁଳି ଥିଲା। ଘଟଣା ପରେ ତାଙ୍କ ସର୍ଭିସ୍ ଅସ୍ତ୍ରକୁ ମଧ୍ୟ ଜବତ କରାଯାଇଛି। ଆହତ ହୋଇଥିବା ଚାରିଜଣ କର୍ମଚାରୀଙ୍କୁ ହିମାଚଳ ପ୍ରଦେଶର ଏକ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେହି ଅଞ୍ଚଳକୁ ନିୟନ୍ତ୍ରଣକୁ ନେଇଛି। ଅବଧେଶ କୁମାର ସିଂହଙ୍କୁ ଗିରଫ କରାଯାଇ ପୋଲିସ ହାତରେ ସୁପ୍ତର୍ଦ୍ଦ କରାଯାଇଛି। କର୍ତ୍ତୃପକ୍ଷ ଏହି ଗୁଳିଚାଳନା ଘଟଣାର ପରିସ୍ଥିତି ସମ୍ପର୍କରେ ତଦନ୍ତ କରୁଛନ୍ତି।
