କଳାହାଣ୍ଡି: କୋକସରା ଥାନା ଅନ୍ତର୍ଗତ ଧଅଁରପୁର ଗ୍ରାମ ପଞ୍ଚାୟତ ଭାଲୁଚୁଆଁ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଚାଷ ଜମିକୁ ଯାଇଥିବା ଜଣେ ବ୍ୟକ୍ତି ଭାଲୁ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ମୃତକ ହେଲେ ଭାଲୁଚୁଆଁ ଗାଁର ଜୟରାମ ଜାଲ (୪୭) ବୋଲି ଜଣାପଡିଛି। ସେ’ ବୁଧବାର ଦିନ ସକାଳୁ ସାହଜଖୋଳ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ତାଙ୍କ ଚାଷ ଜମିକୁ ଯାଇଥିଲେ। ମଧ୍ୟାହ୍ନ ପରେ ମଧ୍ୟ ଜୟରାମ ଘରକୁ ନ ଫେରିବାରୁ ପରିବାର ଲୋକେ ବିଲକୁ ଖୋଜିବାକୁ ଯାଇଥିଲେ। ତେବେ ଚାଷଜମି ନିକଟରେ ତାଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଲିଥିଲା। ତାଙ୍କ ଦେହ ସାରା ଭାଲୁ ଆକ୍ରମଣ କରିଥିବା ଅନେକ ଚିହ୍ନ ଦେଖି ପରିବାର ଲୋକେ ବେହେରା ବନ ବିଭାଗକୁ ଖବର ଦେବା ସହିତ କୋକସରା ଥାନାକୁ ମଧ୍ଯ ଜଣାଇଥିଲେ। ଏହାପରେ କୋକସରା ଥାନା ପୋଲିସସମେତ ବନ ବିଭାଗ ପକ୍ଷରୁ ଧର୍ମଗଡ଼ ରେଞ୍ଜ ଅଫିସର ଭାବାନୀ ଶଙ୍କର କାଉଁର, ବେହେରା ବନପାଳ ରାଜେନ୍ଦ୍ର ନାଏକ ଓ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚୁ ଥିଲେ । ସେଠାରେ ପୋଲିସ ଓ ବନ ବିଭାଗ ପକ୍ଷରୁ ପ୍ରାଥମିକ ତଦନ ପରେ ଶବ ଜବତ କରାଯାଇଥିଲା। ଏବଂ ବ୍ୟବଛେଦ ପାଇଁ କୋକସରା ମେଡ଼ିକାଲ କୁ ପଠାଇ ଦିଆଯାଇଥିଲା। ଗୁରୁବାର ଶବ ବ୍ୟବଚ୍ଛେଦ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଜନ ସାଧାରଣରେ ଦାବି ହୋଇଛି। ଏ ବିଷୟରେ ବେହେରା ସେକ୍ସନ ଫରେଷ୍ଟର ରାଜେନ୍ଦ୍ର ନାଏକଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି, ମୃତକଙ୍କ ପରିବାର କୁ ସରକାରୀ ହିସାବରେ ଯାହା ସହାୟତା ରହିଛି ଯୋଗେଇଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି।
