ପୁରୀ: ସେବା ସଂକଳ୍ପ ଅଭିଯାନ ଅବସରରେ ପୁରୀ କୁମ୍ଭାରପଡା କ ଅଙ୍ଗନବାଡି କେନ୍ଦ୍ରରେ ନବମ ରାଷ୍ଟ୍ରୀୟ ପୋଷଣ ମାସ ଅବସରରେ ତିନିଦିନ ଧରି ଆଙ୍ଗନ କା ମିଲନ ଉତ୍ସବ ମଙ୍ଗଳବାର ଆନନ୍ଦ ଉଲ୍ଲାସର ସହ ଉଦଯାପିତ ହୋଇଯାଇଛି । ଅଙ୍ଗନବାଡି କର୍ମୀ ଭାଗ୍ଯଲକ୍ଷ୍ମୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ ବିନୋଦିନୀ ତ୍ରିପାଠୀ ଯୋଗଦେଇ କହିଲେ ଅଙ୍ଗନବାଡ଼ି କେନ୍ଦ୍ର ହେଉଛି ଶିଶୁଙ୍କ ଭବିଷ୍ୟତ ଗଢ଼ିବାର ମୂଳଦୁଆ , ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁସ୍ଥ ପରିବେଶ ପ୍ରତି ଅଭିଭାବକମାନେ ଯତ୍ନବାନ ହେବା ଆବଶ୍ୟକ ବିଶେଷକରି ମାଆଙ୍କ ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଗର୍ଭସ୍ଥ ଶିଶୁର ଯତ୍ନ ଏବଂ ଶିଶୁ ଜନ୍ମ ପରେ ତାର ପୋଷଣ ଓ ବିକାଶ କ୍ଷେତ୍ରରେ ଅଙ୍ଗନବାଡ଼ି କର୍ମୀମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉଥିବାରୁ ଅଙ୍ଗନବାଡ଼ି କର୍ମୀ, ସୁପରଭାଇଜର ଓ ସହାୟିକା ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ପୁରୀଜିଲ୍ଲା ମହିଳା ବିଜେପି ସଭାନେତ୍ରୀ ଜ୍ଯୋତି ମହାପାତ୍ର, ପୂର୍ବତନ ପୌରସଦସ୍ଯ ସୁଦର୍ଶନ ସାହୁ ଓ ମହିଳା ପରିଦର୍ଶିକା ମିନତୀ ମିଶ୍ର ଓ ସୁଭଦ୍ରା ମ୍ଯାଡାମ ପ୍ରମୁଖ ଯୋଗଦେଇ କହିଲେ ଶିଶୁଙ୍କ ସୁସ୍ଥ ବିକାଶ, ପୋଷଣ ଓ ଯତ୍ନ ସମ୍ପର୍କରେ ଅଭିଭାବକ ମାନଙ୍କୁ ସଚେତନ କରାଯିବା ସହ ଅଙ୍ଗନବାଡ଼ି କେନ୍ଦ୍ରର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ କୁନି କୁନି ପିଲାଙ୍କ ଦ୍ୱାରା ନାଚ, ଗୀତ ଓ ଗପ କହିବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅତିଥିମାନଙ୍କ ଦ୍ୱାରା ଅଙ୍ଗନବାଡି କର୍ମୀ ଭାଗ୍ଯଲକ୍ଷ୍ମୀ ସାହୁ, ସହାୟିକା ସୋନାଲିକା ନାୟକ, ଆଶାକର୍ମୀ ସୁଜାତା ଦାସଙ୍କୁ ସେବା ଓ ସଂକଳ୍ପ ଅଭିଯାନରେ ସମ୍ମାନିତ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଅଭିଭାବକ ମାନଙ୍କୁ ମଧ୍ଯ ଫଳ ବାସ୍କେଟ ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଶେଷରେ ଅତିଥିମାନେ କୁନି କୁନି ପିଲାମାନଙ୍କୁ ତ୍ରିରଙ୍ଗା ଥାଳି ସମେତ ସ୍ୱାଦିଷ୍ଟ ଖାଦ୍ଯ ବଣ୍ଟନ କରିଥିଲେ । କୁନି କୁନି ପିଲାମାନଙ୍କ ସମେତ ସମସ୍ତ ଅଭିଭାବକ ଅଭିଭାବିକା ଉପସ୍ଥିତ ରହିଥିବାବେଳେ କେନ୍ଦ୍ରର ସହାୟିକା,ଆଶାକର୍ମୀ ପରିଚାଳନାରେ ସହଯୋଗ କରିଥିଲେ।
