ଇଟାନଗର: ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଜିଲ୍ଲାରେ ଭାରତ-ମିଆଁମାର ସୀମା ନିକଟରେ ଏକ ପାଟ୍ରୋଲିଂ ଦଳ ଉପରେ ସନ୍ଦିଗ୍ଧ ଉଗ୍ରବାଦୀଙ୍କ ଆକ୍ରମଣ ଫଳରେ ଜଣେ ଆସାମ ରାଇଫଲ୍ସ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ମଙ୍ଗଳବାର ସକାଳ ପ୍ରାୟ ୬ଟା ୩୦ ସମୟରେ ନାମପୋଙ୍ଗ ସର୍କଲ ଅନ୍ତର୍ଗତ ନାମପୋଙ୍ଗ ନାଲା ନିକଟରେ ଏହି ଘଟଣା ଘଟିଥିଲା। ସେତେବେଳେ ୨୧ ଆସାମ ରାଇଫଲ୍ସର ଯବାନମାନେ ସେହି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ ଯେଉଁଠାରେ ସୀମା ବାଡ଼ ନିର୍ମାଣ କାର୍ଯ୍ୟ ଚାଲିଛି।
ପ୍ରାଥମିକ ରିପୋର୍ଟ ଅନୁଯାୟୀ, ସନ୍ଦିଗ୍ଧ ଉଗ୍ରବାଦୀମାନେ ପାଟ୍ରୋଲିଂ ଦଳ ଉପରକୁ ଗୁଳି ଚଳାଇଥିଲେ, ଯେଉଁଥିରେ ହାବିଲଦାର ଜାନଖୋକାଇ କୁକି (୪୨) ଶହୀଦ ହୋଇଥିଲେ ଏବଂ ଅନ୍ୟ ୪ ଜଣ ଆହତ ହୋଇଥିଲେ। ଏହି ଘଟଣା ପରେ ସୁରକ୍ଷା ବାହିନୀ ସେହି ଅଞ୍ଚଳରେ ଅଭିଯାନକୁ ଜୋରଦାର କରିଛି ବୋଲି ଅଧିକାରୀ କହିଛନ୍ତି। ପ୍ରାଥମିକ ରିପୋର୍ଟରୁ ଏନଏସସିଏନ(କେ-ୱାଇଏ) ସହ ଜଡ଼ିତ ଉଗ୍ରବାଦୀଙ୍କ ସମ୍ପୃକ୍ତି ଥିବା ସୂଚନା ମିଳିଛି। ତଥାପି, ଆକ୍ରମଣକାରୀଙ୍କ ପରିଚୟ ସମ୍ପର୍କରେ କୌଣସି ସରକାରୀ ସ୍ପଷ୍ଟୀକରଣ ମିଳିନାହିଁ। ଅରୁଣାଚଳ ପ୍ରଦେଶର ନିର୍ଦ୍ଦିଷ୍ଟ ଅଞ୍ଚଳରେ “ଆର୍ମଡ୍ ଫୋର୍ସେସ୍ (ସ୍ପେଶାଲ୍ ପାୱାର୍ସ) ଆକ୍ଟ, ୧୯୫୮’କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ବୃଦ୍ଧି କରାଯାଇଥିବା ନିୟମ ଲାଗୁ ହେବାର ମାତ୍ର ଦୁଇ ଦିନ ପୂର୍ବରୁ ଏହି ଘଟଣା ଘଟିଛି। କେନ୍ଦ୍ର ସରକାର ଅକ୍ଟୋବର ୧ ତାରିଖରୁ ଆଉ ଛଅ ମାସ ପାଇଁ ଏହି ଆଇନର ଅବଧି ବୃଦ୍ଧି କରିଛନ୍ତି, ଯାହା ଅଧୀନରେ ତିରାପ୍, ଚାଙ୍ଗଲାଙ୍ଗ ଏବଂ ଲଙ୍ଗଡିଙ୍ଗ ଜିଲ୍ଲା ରହିଛି।
