ଉତ୍ତରକାଶୀ: ସୋମବାର ଦିନ କେଦାରନାଥ ଯାତ୍ରା ପଥର ଚିରବାସା ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଫସି ରହିଥିବା ପ୍ରାୟ ୧,୫୦୦ ତୀର୍ଥଯାତ୍ରୀଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି। ଏସଡିଆରଏଫ୍ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏବଂ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ବାହିନୀର ମିଳିତ ଦଳ ରବିବାର ରାତିରେ ଫସି ରହିଥିବା ପ୍ରାୟ ୧,୫୦୦ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରି ଗୌରୀକୁଣ୍ଡ ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ସୋନପ୍ରୟାଗ ପୋଲିସ ଖବର ପାଇଥିଲା ଯେ ଗୌରୀକୁଣ୍ଡଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଚିରବାସା ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଅନେକ ତୀର୍ଥଯାତ୍ରୀ ଫସି ରହିଛନ୍ତି। ସୂଚନା ପାଇବା ପରେ, ସବ୍-ଇନ୍ସପେକ୍ଟର ଆଶିଷ ଡିମ୍ରିଙ୍କ ନେତୃତ୍ୱରେ ସୋନପ୍ରୟାଗରୁ ଏକ ଝଊଜୠ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଦେଖିବାକୁ ପାଇଥିଲା ଯେ ଭୂସ୍ଖଳନ ଯୋଗୁଁ ଚିରବାସା ହେଲିପ୍ୟାଡ୍ ନିକଟ ରାସ୍ତାରେ ଭଗ୍ନାବଶେଷ ଜମା ହୋଇ ରହିଛି। ଏହା ବ୍ୟତୀତ, ପାହାଡ଼ ଉପରୁ କ୍ରମାଗତ ଭାବେ ପଥର ଖସୁଥିବାରୁ ତୀର୍ଥଯାତ୍ରୀଙ୍କ ଚଳାଚଳ ଅତ୍ୟନ୍ତ ବିପଜ୍ଜନକ ହୋଇପଡ଼ିଥିଲା। ପରିସ୍ଥିତିର ସମୀକ୍ଷା କରି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏବଂ ଜିଲ୍ଲା ବିପର୍ଯ୍ୟୟ ପ୍ରଶମନ ବାହିନୀର ଏକ ମିଳିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ବୋଲି ଅଧିକାରୀମାନେ କହିଛନ୍ତି। ଉଦ୍ଧାରକାରୀ ଦଳ ସତର୍କତାର ସହ ତୀର୍ଥଯାତ୍ରୀମାନଙ୍କୁ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପାର କରାଇଥିଲେ; ସେମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟ ପାର୍ଶ୍ୱକୁ ନିଆଯାଇଥିଲା ଏବଂ ଗୌରୀକୁଣ୍ଡ ଅଭିମୁଖେ ପଠାଯାଇଥିଲା ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଅଧିକାରୀଙ୍କ କହିବାନୁସାରେ, ଲଗାଣ ପ୍ରବଳ ବର୍ଷା ଯୋଗୁଁ ରବିବାର ଦିନ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତରାଖଣ୍ଡରେ ଚାରି ଧାମ ଯାତ୍ରା ସ୍ଥଗିତ ରହିଥିଲା।
