ଉଜ୍ଜୈନ (ମଧ୍ୟପ୍ରଦେଶ): ସୋମବାର ଦିନ ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ ରାସ୍ତା ଓସାରିଆ କରିବା ପ୍ରକଳ୍ପ ପାଇଁ ଏକ ମସଜିଦର କିଛି ଅଂଶ ଭାଙ୍ଗିବା ପ୍ରସ୍ତାବ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଏକ ଗୋଷ୍ଠୀ ପୋଲିସ ଉପରକୁ ପଥରମାଡ଼ କରିଥିଲେ। ସେହି ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବାରୁ ଭିଡ଼କୁ ଘଉଡ଼ାଇବା ପାଇଁ ପୋଲିସ ଲୁହବୁହା ଗ୍ୟାସ୍ ବ୍ୟବହାର କରିଥିଲା। “ଶାହୀ ମସଜିଦ୍’ର କିଛି ଅଂଶ ଭାଙ୍ଗିବା ପ୍ରସ୍ତାବ ସମ୍ବନ୍ଧୀୟ ଏକ ଆବେଦନ ଉପରେ ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ଖଣ୍ଡପୀଠରେ ଶୁଣାଣି ହେବାର ଥିବାବେଳେ ଏହି ବିକ୍ଷୋଭ ହୋଇଥିଲା। ୨୦୨୮ ସିଂହସ୍ଥ କୁମ୍ଭ ମେଳା ପୂର୍ବରୁ କାନ୍ଥାଲ କ୍ରସିଂରୁ ଗୋପାଳ ମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ୧୫ ମିଟର ପର୍ଯ୍ୟନ୍ତ ଓସାରିଆ କରାଯାଉଛି। ଏହି ପ୍ରକଳ୍ପରେ ପ୍ରାୟ ୯୦୦ ମିଟର ରାସ୍ତାକୁ ଓସାରିଆ କରିବା ଏବଂ ପ୍ରସ୍ତାବିତ ରାସ୍ତା ମଧ୍ୟରେ ଆସୁଥିବା ନିର୍ମାଣଗୁଡ଼ିକୁ ହଟାଇବା କିମ୍ବା ପରିବର୍ତ୍ତନ କରିବା ଅନ୍ତର୍ଭୁକ୍ତ। ଏସପି ପ୍ରଦୀପ ଶର୍ମା କହିଛନ୍ତି ଯେ କିଛି ଲୋକ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ, ଯାହା ପରେ ପୋଲିସ ସେମାନଙ୍କୁ ସହଯୋଗ କରିବାକୁ ବୁଝାଇବାକୁ ଚେଷ୍ଟା କରିଥିଲା ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ଘଉଡ଼ାଇବା ପାଇଁ ସାମାନ୍ୟ ବଳ ପ୍ରୟୋଗ କରିଥିଲା। ରବିବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନିଜେ ଏକ କୋଦାଳ ବ୍ୟବହାର କରି ଉଜ୍ଜୈନସ୍ଥିତ ନିଜ ପୈତୃକ ଘରର କିଛି ଅଂଶ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଥିଲେ। ସୂତ୍ର ଅନୁଯାୟୀ, ସୋମବାରର ବିକ୍ଷୋଭ ରାସ୍ତା ଓସାରିଆ କରିବା ପ୍ରକଳ୍ପର ଅଂଶବିଶେଷ ଭାବରେ “ଶାହୀ ମସଜିଦ୍’ର କିଛି ଅଂଶ ହଟାଇବା ପ୍ରସ୍ତାବ ବିରୋଧରେ ଥିଲା। ଏସ୍ପି ଶର୍ମା ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ସିଂହସ୍ଥ ୨୦୨୮ ପ୍ରସ୍ତୁତି ପାଇଁ ସମସ୍ତ ପକ୍ଷ ପ୍ରଶାସନକୁ ସହଯୋଗ କରୁଛନ୍ତି ଏବଂ ପୋଲିସ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରୁଛି। ମସଜିଦ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦାୟର ଏକ ଅପିଲ୍ର ଶୁଣାଣି ସୋମବାର ପାଇଁ ଧାର୍ଯ୍ୟ କରାଯାଇଥିଲା। ଅଧିକାରୀମାନେ କହିଛନ୍ତି ଯେ ବିକ୍ଷୋଭ ପରେ ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାସ୍ତା ଓସାରିଆ କରିବାର ଏହି କାର୍ଯ୍ୟ ଉଜ୍ଜୈନର ଏକ ବୃହତ୍ ପ୍ରକଳ୍ପର ଅଂଶବିଶେଷ, ଯାହା ଅଧୀନରେ ଧାର୍ମିକ ସ୍ଥଳ ସମେତ ମୋଟ ୨୭୨ଟି ନିର୍ମାଣ ପ୍ରଭାବିତ ହେବ। ରାଜ୍ୟ ସରକାର ଏହି ପ୍ରକଳ୍ପ ପାଇଁ ପ୍ରାୟ ୯.୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରବିବାର ଦିନ ରାସ୍ତା ଓସାରିଆ କରିବା ପ୍ରକଳ୍ପ ପାଇଁ ନିଜ ପୈତୃକ ଘରର ଏକ ଅଂଶ ଭାଙ୍ଗିବା ପରେ ମୁଖ୍ୟମନ୍ତ୍ରୀ ଯାଦବ କହିଥିଲେ ଯେ ସହରର ବିକାଶ କ୍ଷେତ୍ରରେ ସରକାରୀ କର୍ମଚାରୀମାନେ ହିଁ ପ୍ରଥମେ ଉଦାହରଣ ସୃଷ୍ଟି କରିବା ଉଚିତ।
