ନୂଆଦିଲ୍ଲୀ: ସମରକନ୍ଦରେ ଅନୁଷ୍ଠିତ ୪୬ତମ ଚେସ୍ ଅଲିମ୍ପିଆଡ୍ ୨୦୨୬ରେ ଉଭୟ ଦଳର ଦମଦାର ପ୍ରଦର୍ଶନ ପରେ ଭାରତ “ଓପନ୍’ ବର୍ଗରେ ରୌପ୍ୟ ପଦକ ଏବଂ ମହିଳା ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଛି। “ଓପନ୍’ ପ୍ରତିଯୋଗିତାରେ ଆୟୋଜକ ଉଜବେକିସ୍ତାନ ସ୍ୱର୍ଣ୍ଣ ପଦକ ଜିତି ନିଜ ମାଟିରେ ଦ୍ୱିତୀୟ ଥର ପାଇଁ ଅଲିମ୍ପିଆଡ୍ ଟାଇଟଲ୍ ହାସଲ କରିଛି। ଜର୍ମାନୀ ବ୍ରୋଞ୍ଜ ପଦକ ଜିତିଛି। ଅନ୍ତିମ ରାଉଣ୍ଡରେ ଭାରତ ହଙ୍ଗେରୀ ସହ ୨-୨ରେ ମ୍ୟାଚ୍ ଡ୍ର” କରିଥିଲା। ବିଶ୍ୱ ଚାମ୍ପିଅନ୍ ଗୁକେଶ୍ ଡୋମାରାଜୁ ହଙ୍ଗେରୀର ଜିଏମ୍ (ଏଗ) ଗ୍ଲେବ୍ ଡୁଡିନ୍?ଙ୍କ ଠାରୁ ପରାଜିତ ହୋଇଥିଲେ, କିନ୍ତୁ ଜିଏମ୍ ଅର୍ଜୁନ ଏରିଗାଇସି ଜିଏମ୍ ପିଟର ଲେକୋଙ୍କୁ ପରାସ୍ତ କରି ଭାରତ ପାଇଁ ମ୍ୟାଚ୍କୁ ଡ୍ର’ କରିବାରେ ଏବଂ ଦ୍ୱିତୀୟ ସ୍ଥାନ ହାସଲ କରିବାରେ ସହାୟତା କରିଥିଲେ।

ୟୁକ୍ରେନ୍ ବିପକ୍ଷରେ ୨.୫-୧.୫ ବ୍ୟବଧାନରେ ବିଜୟ ଲାଭ କରି ଉଜବେକିସ୍ତାନ ସ୍ୱର୍ଣ୍ଣ ପଦକ ନିଶ୍ଚିତ କରିଥିଲା। ଜିଏମ୍ ମୁଖିଦ୍ଦିନ୍ ମାଦାମିନୋଭ୍, ଜିଏମ୍ ରୋମାନ୍ ଡେହତିଆରୋଭ୍ଙ୍କୁ ପରାସ୍ତ କରି ଆୟୋଜକ ଦଳ ପାଇଁ ନିର୍ଣ୍ଣାୟକ ବିଜୟ ଆଣିଦେଇଥିଲେ। ଉଜବେକିସ୍ତାନ ଦଳ ଭାରତ ଏବଂ ଜର୍ମାନୀ ତୁଳନାରେ ଦୁଇ ପଏଣ୍ଟ ଆଗରେ ରହି ଟୁର୍ଣ୍ଣାମେଣ୍ଟ ଶେଷ କରିଥିଲା। “ଟାଇ-ବ୍ରେକ୍’ ଆଧାରରେ ଭାରତ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ, ନେଦରଲ୍ୟାଣ୍ଡକୁ ୨.୫-୧.୫ରେ ପରାସ୍ତ କରି ଜର୍ମାନୀ ତୃତୀୟ ସ୍ଥାନ ହାସଲ କରିଥିଲା। ସେହି ମ୍ୟାଚ୍ରେ ଜିଏମ୍ ମାଥିଆସ୍ ବ୍ଲୁବାମ୍, ଜିଏମ୍ ଜୋର୍ଡେନ୍ ଭାନ୍ ଫୋରେଷ୍ଟଙ୍କୁ ପରାସ୍ତ କରିଥିଲେ।

ଜର୍ଜିଆ ବିପକ୍ଷରେ ଏକ କଡ଼ା ମୁକାବିଲାପୂର୍ଣ୍ଣ ଅନ୍ତିମ ରାଉଣ୍ଡ ମ୍ୟାଚ୍ ୨-୨ରେ ଡ୍ର’ କରି ଭାରତୀୟ ମହିଳା ଦଳ ମଧ୍ୟ ପଦକ ତାଲିକାରେ ସ୍ଥାନ ପାଇଥିଲା। ଆଇଏମ୍ ସବିତା ଶ୍ରୀ ଏକ କଷ୍ଟକର ସ୍ଥିତିରୁ ଜର୍ଜିଆର ଆଇଏମ୍ ମେରି ଆରାବିଡ୍େଜଙ୍କ ବିପକ୍ଷରେ ମ୍ୟାଚ୍ ଡ୍ର’ ରଖି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଫଳାଫଳ ଭାରତ ପାଇଁ ବ୍ରୋଞ୍ଜ ପଦକ ସୁନିଶ୍ଚିତ କରିଥିଲା।
