ଅମ୍ବାଲା: ରବିବାର ଦିନ ହରିୟାଣାର ଅମ୍ବାଲା ଜିଲ୍ଲାରେ ନିର୍ମାଣାଧୀନ ତିନି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବା ଫଳରେ ଅତିକମରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଏହି ଘଟଣା ଆଜି ସନ୍ଧ୍ୟାରେ ଧୁଲକୋଟ ଗ୍ରାମରେ ଘଟିଛି, ଯେଉଁଥିରେ ଅନେକ ଶ୍ରମିକ ଭଗ୍ନସ୍ତୂପ ତଳେ ଚାପି ହୋଇ ରହିଯାଇଛନ୍ତି। ତେବେ ଅଧିକାରୀମାନେ ଆଶଙ୍କା କରୁଛନ୍ତି ଯେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ କାରଣ ୧୫ ରୁ ୨୦ ଜଣ ଲୋକ ଭଗ୍ନସ୍ତୂପ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ସେମାନେ କହିଛନ୍ତି ଯେ ଏକ ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଯେଉଁଥିରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ), ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ଅଗ୍ନିଶମ ବାହିନୀ, ପୋଲିସ ଏବଂ ସ୍ଥାନୀୟ ଆମ୍ବୁଲାନ୍ସ ସେବା ନିୟୋଜିତ ଅଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ଅମ୍ବାଲା ସିଟିର ସବ୍-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ ଦର୍ଶନ କୁମାର କହିଛନ୍ତି ଯେ ଘଟଣା ପରେ ଅନେକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଥିବା ବେଳେ ଅନ୍ୟ ପାଞ୍ଚ ଜଣଙ୍କର ଚିକିତ୍ସା ଚାଲିଛି। ସେ କହିଛନ୍ତି ଯେ ନିର୍ମାଣାଧୀନ କୋଠାର ଠିକାଦାର ଏବଂ ମାଲିକ ଫେରାର ଅଛନ୍ତି ଏବଂ ସେମାନଙ୍କୁ ଖୋଜିବା ପାଇଁ ଉଦ୍ୟମ ଜାରି ରହିଛି। ସେ କହିଛନ୍ତି ଯେ ଏହା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭିତରେ କେତେ ଲୋକ ଫସି ରହିଛନ୍ତି ସେନେଇ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ; ଉଦ୍ଧାର କାର୍ଯ୍ୟ ଆଗକୁ ବଢ଼ିବା ସହ ପ୍ରକୃତ ସଂଖ୍ୟା ଜଣାପଡ଼ିବ ବୋଲି କୁମାର କହିଥିବା କଥା ସମ୍ବାଦ ସଂସ୍ଥା ଇଘଓ ରିପୋର୍ଟ କରିଛି। “ଆକଳନ ଅନୁଯାୟୀ ୧୫ ରୁ ୨୦ ଜଣ ଲୋକ ଫସି ରହିଥାଇପାରନ୍ତି, କିନ୍ତୁ ଏପର୍ଯ୍ୟନ୍ତ କିଛି ନିଶ୍ଚିତ ହୋଇନାହିଁ। ମୃତକଙ୍କ ସମେତ ମୋଟ ୧୨ ଜଣଙ୍କୁ ଚିହ୍ନଟ କରାଯାଇଛି। କୋଠାର ମାଲିକାନା ସମ୍ବନ୍ଧୀୟ ବିବରଣୀ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
