କଟକ: କଟକରେ ନିଖୋଜ ମାମଲା ବଢ଼ୁଛି। ଗୋଟିଏ ସପ୍ତାହରେ ଦୁଇଟି ପୃଥକ୍ ପୃଥକ୍ ନିଖୋଜ ମାମଲା ଆସିଛି। କଟକ ୪୨ ମୌଜା ଥାନା ଏବଂ ମର୍କତନଗର ଥାନା ଦୁଇ ଜଣ ନିଖୋଜ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ପ୍ରଦାନ କଲେ ପୁରସ୍କାର ରାଶି ମିଳିବ ବୋଲି ଘୋଷଣା କରିଛନ୍ତି। କଟକ ୪୨ ମୌଜା ଥାନା ଅନ୍ତର୍ଗତ ଅଂଶୁମାନ ପରିଡ଼ା ୪ ଦିନ ପୂର୍ବରୁ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ପୁଲିସ ଖୋଜା ଖୋଜି ଜାରି ରଖିଥିଲେ ମଧ୍ୟ ଅଂଶୁମାନ ସମ୍ପର୍କରେ କୌଣସି ସୂଚନା ଏଯାଏ ମିଲିନାହିଁ। ତାଙ୍କ ନିଖୋଜ ସମ୍ପର୍କରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ନଥିବାରୁ ପରିବାର ଏବଂ ପୁଲିସ ପାଇଁ ଅଡ଼ୁଆ ବଢିବାରେ ଲାଗିଛି।

ତେବେ ନିଖୋଜ ଅଂଶୁମାନ ସମ୍ପର୍କରେ ସୂଚନା ପ୍ରଦାନ କରିଲେ ୨୦,୦୦୦ ଟଙ୍କା ସୂଚନା ପ୍ରଦାନ କରୀଙ୍କୁ ପ୍ରଦାନ କରାଯିବ ବୋଲି ୪୨ ମୌଜା ପୁଲିସ ଏନେଇ ବିଜ୍ଞାପନ ଜାରି କରିଛନ୍ତି। ନିର୍ଦ୍ଧିଷ୍ଟ ନମ୍ୱର୍ ଦୁଇଟିରେ ସୂଚନା ଦେବାକୁ କୁହା ଯାଇଛି। ସୂଚନା ପ୍ରଦାନକାରୀଙ୍କ ସମସ୍ତ ତଥ୍ୟ ଗୋପୋନୀୟ ରଖାଯିବ ବୋଲି ୪୨ ମୌଜା ପୁଲିସ ନିଜ ବିଜ୍ଞାପନରେ ଏହା ଦର୍ଶାଇଛି। ସେହିପରି ଗତ ୨୧ ତାରିଖରେ ମର୍କତ ନଗର ଥାନା ଅଞ୍ଚଳର ଦେବୀ ପ୍ରସାଦ ସାହୁ (୨୩) ନିଖୋଜ ହୋଇଯାଇଛନ୍ତି। ଗତ ୧୦ ଦିନ ହେବ ତାଙ୍କର କୌଣସି ପତା ମିଳୁନଥିବା ବେଳେ ପୁଲିସ ତାଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ୨୫,୦୦୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି। ତେବେ ଅଳପ ଦିନରେ ଦୁଇଦୁଇଟି ଘଟଣାରେ ପୁଲିସ ନିଖୋଜ ବ୍ୟକ୍ତିଙ୍କୁ ଲାଗି ପୁରସ୍କାର ରାଶି ଘୋଷଣା କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏମାନେ କୁଆଡେ ଗଲେ ତାକୁ ନେଇ ତନାଘନା ଜାରି ରହିଛି।
