କଟକ: ଜଗତସିଂହପୁର ଜିଲ୍ଲାରେ ଅବକାରୀ ଗୁଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ, ୟୁନିଟ୍-୧ (ଫ୍ଲାଇଂ ସ୍କ୍ୱାଡ୍), କଟକ ପକ୍ଷରୁ ଚଢାଉ କରାଯାଇ ୪୨୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୪୨ ଲକ୍ଷ ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ଦୁଇଟି ପୃଥକ ଘଊଚଝ ମାମଲା ରୁଜୁ ହୋଇଥିବା ବେଳେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅବକାରୀ ଅଧୀକ୍ଷକ ସମରଜିତ ଦାଶଙ୍କ ନିର୍ଦ୍ଦେଶ ଏବଂ ଉପ ଅବକାରୀ ଅଧୀକ୍ଷକ ରୋଶନ ଇସୁ ହାଂସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ଓ ବଡ଼ବୁଦା ନିକଟରେ ଏହି ଚଢାଉ ହୋଇଥିଲା। ପ୍ରଥମ ଚଢାଉରେ ବଡ଼ବୁଦା ଗ୍ରାମର ବରଦା ସାମନ୍ତରାୟ (୪୦)ଙ୍କ ନିକଟରୁ ୧୯୩ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା। ଅନ୍ୟ ଏକ ଚଢାଉରେ ସେହି ଗ୍ରାମର ଅନିଲ ବେହେରା (୩୩)ଙ୍କ ନିକଟରୁ ୨୨୭ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିଲା। ଉଭୟଙ୍କୁ ଘଊଚଝ ଇମଗ୍ଧ, ୧୯୮୫ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବା ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଚଢାଉ ଦଳରେ ଇନ୍ସପେକ୍ଟର ସୁଶାନ୍ତ କୁମାର ମହାପାତ୍ର, ସବ୍-ଇନ୍ସପେକ୍ଟର ଅମିତ କୁମାର ବିଶ୍ୱାଳ, ସବ୍-ଇନ୍ସପେକ୍ଟର ସନ୍ତୋଷ କୁମାର ସ୍ୱାଇଁ, ଏଏସଆଇ କିଶୋର ଚନ୍ଦ୍ର ରାଉତ, ଏଏସଆଇ ଅଜୟ ସାହୁ, ଏଏସଆଇ ସଞ୍ଜୀବ କୁମାର ମୁଣ୍ଡା, ମହିଳା କନଷ୍ଟେବଳ ଅନ୍ନପୂର୍ଣା ଗଣ୍ଡା, କନଷ୍ଟେବଳ ଦେବାଶିଷ ବେହେରା, ପବିତ୍ର କୁମାର ଦାଶ, ଜଗନ୍ନାଥ ସାହୁ, ଚନ୍ଦ୍ରକାନ୍ତ ସାହୁ, ଶଙ୍କର୍ଷଣ ରାଉତ ଓ ରଞ୍ଜିତ ସାହୁ ସାମିଲ ଥିଲେ।
