ନୂଆଦିଲ୍ଲୀ: ଶନିବାର ଦିନ ନାଗୋୟାଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଇରାନକୁ ରୋମାଞ୍ଚକର ଭାବେ ପରାସ୍ତ କରି ପୁରୁଷ ଓ ମହିଳା ଉଭୟ ଦଳ ନିଜ ନିଜର ଟାଇଟଲ୍ ବଜାୟ ରଖିବା ସହ ଏସୀୟ କ୍ରୀଡ଼ାରେ କବାଡ଼ିରେ “ଗୋଲ୍େଡନ୍ ଡବଲ୍’ (ଉଭୟ ବର୍ଗରେ ସ୍ୱର୍ଣ୍ଣ ପଦକ) ହାସଲ କରିଛନ୍ତି। ଦିନର ପ୍ରାରମ୍ଭରେ ମହିଳା ଦଳ ଇରାନକୁ ୩୭-୩୪ ବ୍ୟବଧାନରେ ପରାସ୍ତ କରିବା ପରେ, ପୁରୁଷ ଦଳ ମଧ୍ୟ ଏକ ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମ୍ୟାଚ୍ରେ ଇରାନକୁ ୪୦-୩୪ରେ ହରାଇ ନିଜର ସ୍ୱର୍ଣ୍ଣ ପଦକ ବଜାୟ ରଖିଛି। ପୁରୁଷ ଫାଇନାଲ୍ ମ୍ୟାଚ୍ ବେଶ୍ ଉତ୍ତେଜନାପୂର୍ଣ୍ଣ ଥିଲା; ଏକ ସମୟରେ ସ୍କୋର ୨୦-୨୦ରେ ସମାନ ଥିଲା, କିନ୍ତୁ ପରେ ଭାରତ ନିୟନ୍ତ୍ରଣ ହାସଲ କରି ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଥିଲା। ୨୦୧୮ ଜାକର୍ତ୍ତା କ୍ରୀଡ଼ାରେ ଭାରତର ଏକଚାଟିଆ ଆଧିପତ୍ୟ ଭାଙ୍ଗିବା ପୂର୍ବରୁ ଭାରତୀୟ ପୁରୁଷ ଦଳ କ୍ରମାଗତ ଭାବେ ସାତୋଟି ସ୍ୱର୍ଣ୍ଣ ପଦକ ଜିତିଥିଲା; ସେହି ସମୟରେ ଇରାନ ଚାମ୍ପିଅନ୍ ହୋଇଥିବାବେଳେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା। ତେବେ ୨୦୨୩ ହାଙ୍ଗଜୋ କ୍ରୀଡ଼ାରେ ଭାରତ ପ୍ରତ୍ୟାବର୍ତ୍ତନ କରି ପୁନର୍ବାର ଟାଇଟଲ୍ ହାସଲ କରିଥିଲା। ଏସୀୟ କ୍ରୀଡ଼ାରେ କବାଡ଼ିରେ ଭାରତର ଏହା ମୋଟ ଉପରେ ନବମ ସ୍ୱର୍ଣ୍ଣ ପଦକ ଥିଲା।
