କିନଶାସା (କଙ୍ଗୋ) : ଆଫ୍ରିକାର ଦ୍ୱିତୀୟ ବୃହତ୍ତମ ଦେଶ ଡିଆର୍ କଙ୍ଗୋରେ ଏକ ବିମାନ ଦୁର୍ଘଟଣାରେ ଦୁଇଜଣ ବରିଷ୍ଠ ସାମରିକ ଅଧିକାରୀଙ୍କ ସମେତ ଅତିକମରେ ୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁବରଣ କରିଥିବା ଦୁଇ ବରିଷ୍ଠ ସାମରିକ ଅଧିକାରୀ ହେଲେ ସାମରିକ ଅଦାଲତର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ମୁଟୋମ୍ବୋ କାଟାଲାୟି ଟିଏଣ୍ଡେ ଏବଂ ସଶସ୍ତ୍ର ବାହିନୀର ଅଡିଟର ଜେନେରାଲ ଲେଫ୍ଟନାଣ୍ଟ ଜେନେରାଲ ବାକୁମି ଲିକୁଲିଆ। କଙ୍ଗୋ ସେନାର ମୁଖପାତ୍ର ମେଜର ଜେନେରାଲ ଏଫୋମି ଏକେଙ୍ଗେ ଏକ ବିବୃତ୍ତିରେ କହିଛନ୍ତି, ଏହି ଦୁଇ ଜେନେରାଲ ପାହ୍ୟାର ଅଧିକାରୀଙ୍କ ବ୍ୟତୀତ ପ୍ରତିନିଧି ଦଳର ୧୨ ଜଣ ସଦସ୍ୟ ଏବଂ ବିମାନ କର୍ମଚାରୀ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିମାନଟି ଦକ୍ଷିଣ-ପଶ୍ଚିମ କିକୱିଟ୍ରୁ ରାଜଧାନୀ କିନଶାସାକୁ ଫେରୁଥିବା ସମୟରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ଏବଂ ଏହା କେଙ୍ଗେଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା; ଫଳସ୍ୱରୂପ ବିମାନରେ ଥିବା ସମସ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏକେଙ୍ଗେ କହିଛନ୍ତି ଯେ ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ ତଦନ୍ତ ଆରମ୍ଭ କରାଯାଇଛି। ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ବୋର୍ଡର ଅଧ୍ୟକ୍ଷ ଟ୍ରାଇଫନ୍ କିନ୍-କିଏ ମୁଲୁମ୍ବା କହିଛନ୍ତି ଯେ ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି। ଉଲ୍ଲେଖଯୋଗ୍ୟ ଯେ, ଗତ ବର୍ଷ ବିଦ୍ରୋହୀ ଗୋଷ୍ଠୀଗୁଡ଼ିକର ଏକାଧିକ ଆକ୍ରମଣ ଫଳରେ କିଛି ଗୁରୁତ୍ୱପୂର୍ଣ୍ଣ ସହର ସେମାନଙ୍କ ଦ୍ୱାରା ଦଖଲ ହେବା ପରେ, କଙ୍ଗୋ ସେନା ପୂର୍ବାଞ୍ଚଳରେ ରୁୱାଣ୍ଡା-ସମର୍ôଥତ “ଏମ୍-୨୩’ ବିଦ୍ରୋହୀ ଗୋଷ୍ଠୀ ସମେତ ଅନେକ ବିଦ୍ରୋହୀ ଗୋଷ୍ଠୀ ବିରୁଦ୍ଧରେ ଲଢ଼େଇ ଜାରି ରଖିଛି।

ପ୍ରଦେଶର ଉପ-ରାଜ୍ୟପାଳ ରେମି ସାକି ବୋକିଣ୍ଡା ରଏଟର୍ସକୁ କହିଛନ୍ତି, କେଙ୍ଗେ ଠାରେ କୌଣସି ଲ୍ୟାଣ୍ଡିଂ ଷ୍ଟ୍ରିପ୍ ନଥିବାରୁ ବିମାନଟି ଏକ ଆବାସିକ ଅଞ୍ଚଳରେ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।’ ଅନ୍ଲାଇନ୍ରେ ପ୍ରସାରିତ ଭିଡିଓରେ ଲୋକମାନଙ୍କୁ ଜଳୁଥିବା ବିମାନ ଆଡ଼କୁ ଦୌଡ଼ୁଥିବାର ଦେଖିବାକୁ ମିଳିଥିଲା ଏବଂ ପାହାଡ଼ ଉପରୁ ଘନ ଧୂଆଁ ଆକାଶକୁ ଉଠୁଥିବାର ଦୃଶ୍ୟମାନ ହୋଇଥିଲା। ଏକ ପୃଥକ ଭିଡିଓ କ୍ଲିପ୍ରେ, ପାଇଲଟଙ୍କ ମୃତଦେହକୁ ଏକ ଷ୍ଟ୍ରେଚରରେ ନିଆଯାଉଥିବାର ଦେଖାଯାଇଥିଲା। ବୋକିଣ୍ଡା ରଏଟର୍ସକୁ କହିଛନ୍ତି ଯେ ୧୨ ଜଣ ଲୋକ ଏପରି ଭାବେ ଜଳିଯାଇଥିଲେ ଯେ ସେମାନଙ୍କୁ ଚିହ୍ନିବା ମଧ୍ୟ ସମ୍ଭବ ନଥିଲା, ଅନ୍ୟପକ୍ଷରେ ପାଇଲଟ୍ଙ୍କ ମୃତଦେହ ବିମାନ ବାହାରେ ମିଳିଥିଲା। ସରକାରୀ ବିମାନ ଚଳାଚଳ ଦୁର୍ଘଟଣା ତଦନ୍ତକାରୀ ସଂସ୍ଥା ଦ୍ୱାରା ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।ଏଠାରେ ମାରାତ୍ମକ ବିମାନ ଦୁର୍ଘଟଣା ଘଟିବା ଏକ ସାଧାରଣ କଥା; ଏଠାରେ ସ୍ଥାନଗୁଡ଼ିକ ମଧ୍ୟରେ ଦୂରତା ଅଧିକ ଏବଂ ରାସ୍ତାଘାଟର ଅବସ୍ଥା ମଧ୍ୟ ଖରାପ ରହିଛି। ବିଶ୍ୱର ମୋଟ ବିମାନ ଚଳାଚଳର ମାତ୍ର ୦.୧ ପ୍ରତିଶତ ଅଂଶୀଦାର ହୋଇଥିଲେ ମଧ୍ୟ, ଅତୀତରେ ସର୍ବାଧିକ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଶଗୁଡ଼ିକର ତାଲିକାରେ ଏହି ଦେଶ ଉପର ଭାଗରେ ରହିଆସିଛି।
