ନୂଆଦିଲ୍ଲୀ: ଶନିବାର ଦିନ ଟୋକାଇ ସିଟିଜେନ୍ ଜିମ୍ନାସିୟମ୍ରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା ୨୦୨୬ର ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଦଳ ଏକ ଶକ୍ତିଶାଳୀ ଇରାନୀ ଦଳ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ନିଜର କବାଡ଼ି ସ୍ୱର୍ଣ୍ଣ ପଦକ ବଜାୟ ରଖିଛି। ୨୦୧୮ର ଚାମ୍ପିଅନ୍ ଇରାନକୁ ୩୭-୩୪ ବ୍ୟବଧାନରେ ପରାସ୍ତ କରି ଭାରତୀୟ ଦଳ ଏସୀୟ କ୍ରୀଡ଼ା ଇତିହାସରେ ନିଜର ଚତୁର୍ଥ କବାଡ଼ି ସ୍ୱର୍ଣ୍ଣ ପଦକ ହାସଲ କରିଛି। ଏହା ଭାରତର ଚତୁର୍ଥ ମହିଳା କବାଡ଼ି ସ୍ୱର୍ଣ୍ଣ ପଦକ ଏବଂ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ଦଳ ପାଇଁ ତୃତୀୟ ସ୍ୱର୍ଣ୍ଣ ପଦକ ଅଟେ। ଏହି ରୋମାଞ୍ଚକର ସ୍ୱର୍ଣ୍ଣ ପଦକ ମ୍ୟାଚ୍ରେ ଭାରତୀୟ ମହିଳା ଖେଳାଳିମାନେ ସ୍ଥିରତା ଓ ସାହସର ସହ ଖେଳିଥିଲେ। ଫାଇନାଲ୍ ମ୍ୟାଚ୍ର ଅଧିକାଂଶ ସମୟରେ ସେମାନେ ଅଗ୍ରଣୀ ରହିଥିଲେ ଏବଂ ପ୍ରଥମାର୍ଦ୍ଧ ଶେଷ ବେଳକୁ ୨୨-୧୬ ସ୍କୋର ସହ ବିରତି ନେଇଥିଲେ। ଦ୍ୱିତୀୟାର୍ଦ୍ଧରେ ଇରାନୀ ମହିଳା ଖେଳାଳିମାନେ ଭାରତୀୟ ଦଳକୁ କଡ଼ା ଟକ୍କର ଦେଇଥିଲେ ଏବଂ ଭାରତର ୧୫ ପଏଣ୍ଟ ବିପକ୍ଷରେ ୧୮ ପଏଣ୍ଟ ହାସଲ କରିଥିଲେ। ତେବେ ଭାରତୀୟ ଦଳ ୩୭-୩୪ ବ୍ୟବଧାନରେ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା। ମ୍ୟାଚ୍ର ଆରମ୍ଭ ବେଶ୍ ସଂଘର୍ଷପୂର୍ଣ୍ଣ ଥିଲା ଏବଂ ପ୍ରଥମାର୍ଦ୍ଧର ଚାରି ମିନିଟ୍ ପରେ ଉଭୟ ଦଳ ୫-୫ ସ୍କୋରରେ ସମାନ ସ୍ଥିତିରେ ଥିଲେ। ଭାରତର ସଞ୍ଜୁଙ୍କୁ “ସୁପର ଆଙ୍କଲ୍ ହୋଲ୍ଡ’ କରି ଇରାନ ୬-୫ରେ ଅଗ୍ରଣୀ ହାସଲ କରିଥିଲା।

ପରବର୍ତ୍ତୀ କିଛି ମିନିଟ୍ ମଧ୍ୟ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ଜାରି ରହିଥିଲା; ପୂଜା ଏକ ପଏଣ୍ଟ ହାସଲ କରିଥିଲେ ଏବଂ ଇରାନ ଦଳରେ ମାତ୍ର ଜଣେ ଖେଳାଳି ବାକି ରହିଥିଲେ। ଭାବନା ଦେବୀ ଇରାନର ରେଡରଙ୍କୁ ଟ୍ୟାକଲ୍ କରି ଭାରତ ପାଇଁ ପ୍ରଥମ “ଅଲ୍-ଆଉଟ୍’ ସୁନିଶ୍ଚିତ କରିଥିଲେ, ଯାହା ଫଳରେ ଭାରତ ୧୩-୧୦ରେ ଅଗ୍ରଣୀ ହୋଇଥିଲା। ଏହାପରେ ଭାରତର ନିକିତା ଏକ “ମଲ୍ଟି-ପଏଣ୍ଟ ରେଡ୍’ କରି ଚାମ୍ପିଅନ୍ ଦଳକୁ ୧୫-୧୦ରେ ମ୍ୟାଟ୍ ଉପରେ ଭାରତର ମାତ୍ର ଦୁଇଜଣ ଖେଳାଳି ବାକି ଥିବାବେଳେ ଦଳ ଏକ ଦମଦାର୍ ଟ୍ୟାକଲ୍ କରି ୨୫-୨୦ରେ ଅଗ୍ରଣୀ ହାସଲ କରିଥିଲା। ଇରାନ ସହଜରେ ହାର ମାନି ନଥିଲା; ଜହ୍ରା କରିମି କିଛି ଗୁରୁତ୍ୱପୂର୍ଣ୍ଣ ଟ୍ୟାକଲ୍ କରି ଭାରତକୁ ଏକତରଫା ଭାବେ ଆଗକୁ ବଢ଼ିବାକୁ ଦେଇନଥିଲେ। ଇରାନ ଭାରତକୁ “ଅଲ୍-ଆଉଟ୍’ ମଧ୍ୟ କରିଥିଲା ଏବଂ ମାଦାଦି ଦୁଇ ପଏଣ୍ଟ ହାସଲ କରି ସ୍କୋରକୁ ୨୭-୨୬ ସ୍ଥିତିକୁ ଆଣିଥିଲେ। ତେବେ ସଞ୍ଜୁ ପୁଣିଥରେ ଏକ ଦୁଇ-ପଏଣ୍ଟ ବିଶିଷ୍ଟ “ରେଡ୍’ କରି ଭାରତକୁ ଇରାନ ଠାରୁ ଆଗରେ ରଖିବାରେ ସାହାଯ୍ୟ କରିଥିଲେ ଏବଂ ସ୍କୋର ୩୪-୨୮ରେ ପହଞ୍ଚିଥିଲା। ପୂଜା ଆଉ ଏକ ପଏଣ୍ଟ ହାସଲ କରିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ସଂଯମତା ବଜାୟ ରଖି ଭାରତ ୩୭-୩୪ରେ ମ୍ୟାଚ୍ ଜିତି ନେଇଥିଲା।
