କଲମ୍ବୋ: ଇସଲାମ ଧର୍ମ ଏବଂ ପୈଗମ୍ବର ମହମ୍ମଦଙ୍କ ବିରୋଧରେ ଅପମାନଜନକ ବୋଲି ବିବେଚିତ ହୋଇଥିବା ଏକ ଫେସବୁକ୍ ମନ୍ତବ୍ୟ ପାଇଁ ସାଉଦି ଆରବରେ ଶ୍ରୀଲଙ୍କାର ଜଣେ ୨୪ ବର୍ଷୀୟ ପ୍ରବାସୀ ଶ୍ରମିକଙ୍କ ଦଣ୍ଡାଦେଶ ବୃଦ୍ଧି କରାଯାଇ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। କାଲମୁନାଇର ନାଟପିଡ୍ଡିମୁନାଇ ଅଞ୍ଚଳର ବାସିନ୍ଦା ଶିବାରାସା ଅନୋଜନଙ୍କୁ ପ୍ରଥମେ “ଅଲ୍-ଅହସା କ୍ରିମିନାଲ୍ କୋର୍ଟ’ ପାଞ୍ଚ ବର୍ଷର ଜେଲ୍ ଏବଂ ୩ ନିୟୁତ ସାଉଦି ରିୟାଲ୍ ଜରିମାନା ଦଣ୍ଡାଦେଶ ଶୁଣାଇଥିଲେ। ତେବେ ସାଉଦି ସରକାରୀ ଓକିଲ ମୂଳ ରାୟ ବିରୁଦ୍ଧରେ ଅପିଲ୍ କରିବା ପରେ ଏହି ଦଣ୍ଡାଦେଶକୁ ବୃଦ୍ଧି କରାଯାଇ ମୃତ୍ୟୁଦଣ୍ଡରେ ପରିଣତ କରାଯାଇଥିଲା। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ସେମାନେ ଏହି ମାମଲାରେ ଆଇନଗତ ଓ କୂଟନୈତିକ ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ରିୟାଦସ୍ଥିତ ଦୂତାବାସ ମାଧ୍ୟମରେ ସାଉଦି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି। ଖବର ଅନୁଯାୟୀ, ଶ୍ରୀଲଙ୍କାରେ ଏକ ହିନ୍ଦୁ ତୀର୍ଥଯାତ୍ରା ସମୟରେ ଘଟିଥିବା ଏକ ଘଟଣାକୁ ନେଇ ସୃଷ୍ଟି ହୋଇଥିବା ସୋସିଆଲ୍ ମିଡିଆ ବିବାଦରୁ ଏହି ମାମଲାର ସୂତ୍ରପାତ ହୋଇଥିଲା। ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ସୋସିଆଲ୍ ମିଡିଆରେ ତାମିଲ ଭାଷାରେ ହିନ୍ଦୁ ବିଶ୍ୱାସ ଏବଂ ଦେବଦେବୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ପ୍ରଚାର କରାଯାଇଥିଲା। ଏହା ପରେ ଅନୋଜନ ଏକ ମନ୍ତବ୍ୟ ପୋଷ୍ଟ କରିଥିଲେ, ଯାହାକୁ ସାଉଦି କର୍ତ୍ତୃପକ୍ଷ ଇସଲାମ ଏବଂ ପୈଗମ୍ବର ମହମ୍ମଦଙ୍କ ପ୍ରତି ଅପମାନଜନକ ବୋଲି ବିବେଚନା କରିଥିଲେ। ରିପୋର୍ଟ ଅନୁଯାୟୀ, ସେ ପରେ ସେହି ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ ଏବଂ ଫେସବୁକରେ ଏକ ଭିଡିଓ ମାଧ୍ୟମରେ ଏଥିପାଇଁ କ୍ଷମା ମାଗିଥିଲେ। ତଥାପି, ସେହି ମନ୍ତବ୍ୟଟି ପୂର୍ବରୁ ହିଁ ରେକର୍ଡ କରାଯାଇସାରିଥିଲା ଏବଂ ସାଉଦି କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା।
ଶ୍ରୀଲଙ୍କା ସଂସଦରେ ବୈଦେଶିକ ମନ୍ତ୍ରୀ ବିଜିଥା ହେରାଥ୍ ଦେଇଥିବା ସୂଚନା ଅନୁଯାୟୀ, ଅନୋଜନ୍ ସେପ୍ଟେ୍ଟମ୍ବର ୨୦୨୫ରେ କାମ କରିବା ପାଇଁ ସାଉଦି ଆରବ ଯାଇଥିଲେ ଏବଂ ୨ ଜୁଲାଇ ୨୦୨୬ରେ ତାଙ୍କୁ ଗିରଫ କରାଯାଇଥିଲା। ଆଲ୍-ଅହସା ଅପରାଧିକ ଅଦାଲତ ପ୍ରାରମ୍ଭରେ ଅନୋଜନ୍ଙ୍କୁ ପାଞ୍ଚ ବର୍ଷର ଜେଲ୍ ଦଣ୍ଡ ଏବଂ ୩ ନିୟୁତ ସାଉଦି ରିଆଲ୍ ଜରିମାନା ଆଦେଶ ଦେଇଥିଲେ। ଅଦାଲତ ଏହି ମାମଲାରେ ବ୍ୟବହୃତ ଇଲେକ୍ଟ୍ରୋନିକ୍ ଉପକରଣକୁ ଜବତ କରିବା ଏବଂ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟ ଏବଂ ଶ୍ରୀଲଙ୍କାର ଅଧିକାରୀଙ୍କ କହିବାନୁସାରେ, ସାଉଦି ଆରବର “ଆଣ୍ଟି-ସାଇବର କ୍ରାଇମ୍ ଆଇନ୍’ ଅଧୀନରେ ଏହି ଦଣ୍ଡାଦେଶ ଦିଆଯାଇଥିଲା। ଏହା ପରେ ଅନୋଜନ୍ଙ୍କ ପକ୍ଷରୁ ଏକ ଅପିଲ୍ ଦାଖଲ କରାଯାଇଥିଲା। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ବିଜିଥା ହେରାଥ୍ ସଂସଦକୁ ଜଣାଇଥିଲେ ଯେ ସେହି ଅପିଲ୍କୁ ଖାରଜ କରାଯାଇଥିଲା; ଏହା ପରେ ସାଉଦି ସରକାରୀ ଓକିଲ (ପ୍ରୋସିକ୍ୟୁସନ୍) ଶରିଆ ଆଇନ୍ ଅନୁଯାୟୀ କଠୋର ଦଣ୍ଡ ଦାବି କରି ପୃଥକ ଭାବେ ଅପିଲ୍ କରିଥିଲେ। ହେରାଥଙ୍କ ସୂଚନା ଅନୁଯାୟୀ, ପରବର୍ତ୍ତୀ ସମୟରେ ସେପେ୍୍ଟମ୍ବର ୧୭ ତାରିଖରେ ଆପିଲ୍ କୋର୍ଟ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲେ। ଆନୋଜାନ୍ଙ୍କ ଓକିଲ ଆପିଲ୍ କୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ଦୂତାବାସକୁ ମୌଖିକ ଭାବେ ଜଣାଇବା ପରେ, ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରଣାଳୟ ପ୍ରଥମେ କହିଥିଲା ଯେ ସେମାନେ ଏହି ମୃତ୍ୟୁଦଣ୍ଡାଦେଶର ଆନୁଷ୍ଠାନିକ ଲିଖିତ ସୂଚନାକୁ ଅପେକ୍ଷା କରିଛନ୍ତି। ପରେ ମନ୍ତ୍ରଣାଳୟ ଜଣାଇଲା ଯେ ସେମାନେ ସେପ୍ଟେମ୍ବର ୨୦ ତାରିଖରେ ଲିଖିତ ରାୟ ହାସଲ କରିଛନ୍ତି। ଏହି ମାମଲା ଯୋଗୁଁ ଶ୍ରୀଲଙ୍କା ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ପଦକ୍ଷେପ ନେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ରିୟାଦସ୍ଥିତ ଶ୍ରୀଲଙ୍କା ଦୂତାବାସ କୂଟନୈତିକ ମାଧ୍ୟମରେ ସାଉଦି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ରଖିବା ସହ ପରିବାରକୁ କନସୁଲାର୍ ସହାୟତା ପ୍ରଦାନ କରୁଛି। ଏହା ମଧ୍ୟ କୁହାଯାଇଛି ଯେ ରାୟକୁ ଚ୍ୟାଲେଞ୍ଜ କରିବା ପାଇଁ ଆଇନଗତ ବିକଳ୍ପଗୁଡ଼ିକର ଯାଞ୍ଚ କରାଯାଉଛି। ବୈଦେଶିକ ମନ୍ତ୍ରୀ ହେରାଥ ସେପ୍ଟେମ୍ବର ୨୨ ତାରିଖରେ ସଂସଦକୁ ଜଣାଇଥିଲେ ଯେ ସରକାର ଆଇନଗତ, କୂଟନୈତିକ, କନସୁଲାର୍ ଏବଂ ମାନବୀୟ ବିକଳ୍ପଗୁଡ଼ିକ ଉପରେ କାର୍ଯ୍ୟ କରୁଛନ୍ତି। ସାଉଦି ରାଜାଙ୍କ ନିକଟରେ କ୍ଷମା ଭିକ୍ଷା କରିବା ପାଇଁ ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେଙ୍କ ଏକ ଚିଠି ଧରି ସାଉଦି ଆରବ ଯିବାକୁ ଏକ ପ୍ରତିନିଧି ଦଳ ମଧ୍ୟ ପ୍ରସ୍ତୁତ କରାଯାଉଛି। ଶ୍ରୀଲଙ୍କା ସରକାର ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ସାଉଦି ଆରବରେ ଆନୋଜାନ୍ଙ୍କ ଆଇନଗତ ଖର୍ଚ୍ଚ ବହନ କରିବେ, କାରଣ ସେମାନେ ଅପିଲ୍ କରିବାର ଅନ୍ୟାନ୍ୟ ଉପାୟ ଖୋଜୁଛନ୍ତି। ଆନୋଜାନ୍ଙ୍କ ମାମଲା ତାଙ୍କ ଗ୍ରାମରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ଏବଂ ପରିବାର ସଦସ୍ୟ ତଥା ସମର୍ଥକମାନେ ମୃତ୍ୟୁଦଣ୍ଡାଦେଶ କାର୍ଯ୍ୟକାରୀ ହେବାରୁ ରୋକିବା ପାଇଁ ହସ୍ତକ୍ଷେପ ଦାବି କରୁଛନ୍ତି। ଏହାପୂର୍ବରୁ, ତାଙ୍କୁ ପାଞ୍ଚ ବର୍ଷର କାରାଦଣ୍ଡାଦେଶ ମିଳିବା ପରେ ତାଙ୍କ ପିତାମାତା ସହାୟତା ପାଇଁ ମାନବ ଅଧିକାର ସମ୍ବନ୍ଧୀୟ ମିଳିତ ଜାତିସଂଘ ଉଚ୍ଚାୟୁକ୍ତଙ୍କ ନିକଟରେ ଆବେଦନ କରିଥିଲେ। ସେମାନେ କହିଥିଲେ ଯେ ତିନି ନିୟୁତ ରିୟାଲ୍ ଜୋରିମାନା କିମ୍ବା ଅପିଲ୍ ସହ ଜଡ଼ିତ ଆଇନଗତ ଖର୍ଚ୍ଚ ବହନ କରିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ।
