ଚେନ୍ନାଇ : ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ନୂଆ ଇତିହାସ ରଚିଛନ୍ତି ସଞ୍ଜୁ ସାମସନ। ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ମାତ୍ର ୧୧ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ, ସଞ୍ଜୁ ନିଜ ନାମରେ ଏମିତି ଏକ ରେକର୍ଡ କରିଛନ୍ତି ଯାହା ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ବ୍ୟାଟର କରିପାରିନଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ପୂର୍ବ ମ୍ୟାଚରେ ଶତକ ହାସଲ କରିଥିବା ସଞ୍ଜୁ ସାମସନ କାଗିସୋ ରାବାଡ଼ାଙ୍କ ବଲରେ ଚୌକା ମାରି ନିଜର ୫,୦୦୦ ଆଇପିଏଲ୍ ରନ୍ ପୂରଣ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେ ସବୁଠାରୁ କମ୍ ବଲ୍ ସାମ୍ନା କରି ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ଭାରତର ପ୍ରଥମ ଖେଳାଳି ହୋଇଛନ୍ତି। ସେ ମାତ୍ର ୩,୫୫୫ଟି ବଲ୍ ଖେଳି ଏହି ସଫଳତା ପାଇଛନ୍ତି। ଆଇପିଏଲ୍ରେ ସବୁଠାରୁ କମ୍ ବଲ୍ରେ ୫୦୦୦ ରନ୍ କରିଥିବା ତାଲିକାର ପ୍ରଥମରେ ଏବି ଡି ଭିଲିୟର୍ସ ୩,୨୮୮ ବଲ୍, ଡେଭିଡ୍ ୱାର୍ଣ୍ଣର ୩,୫୫୪ ବଲ୍, ସଞ୍ଜୁ ସାମସନ ୩,୫୫୫ ବଲ୍ (ଦ୍ରୁତତମ ଭାରତୀୟ), ସୁରେଶ ରାଇନା ୩,୬୨୦ ବଲ୍, କେ.ଏଲ୍. ରାହୁଲ ୩,୬୮୮ ବଲ୍, ଏମ୍.ଏସ୍. ଧୋନି ୩,୬୯୧ ବଲ୍ ରହିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସର ବ୍ୟାଟିଂ କୋଚ୍ ମାଇକେଲ ହସି ଗୁରୁବାର ସ୍ପଷ୍ଟ କହିଥିଲେ କି ଏମଏସ ଧୋନୀ ଯେତେବେଳେ ବି ଆହତରୁ ବାହାରି ଟିମରେ ଯୋଗଦେବେ ସେ ୱିକେଟ କିପର ହିଁ ରହିବେ । ବର୍ତ୍ତମାନ ଏହି ଦାୟିତ୍ୱ ସଞ୍ଜୁ ସାମସନଙ୍କ କାନ୍ଧରେ ଅଛି । ସାମସନ ଧୋନୀଙ୍କ ଅନୁପସ୍ଥିତିରେ ୱିକେଟକିପିଂର ଭୂମିକା ବହୁ ଭଲ ଭାବେ ନିଭାଉଛନ୍ତି ।
