ନୋଏଡ଼ା: ବୁଧବାର ରାତିରେ ଗ୍ରେଟର ନୋଏଡାସ୍ଥିତ ଯମୁନା ଏକ୍ସପ୍ରେସୱେରେ ଏକ ସ୍ଲିପର୍ ବସ୍ରେ ନିଆଁ ଲାଗିଯିବା ଫଳରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଏହି ଘଟଣା ରାତି ପ୍ରାୟ ୧୧:୩୦ ସମୟରେ ଜେୱାର ଥାନା ଅଞ୍ଚଳର ୩୩-କିଲୋମିଟର ମାଇଲଷ୍ଟୋନ୍ ନିକଟରେ ଘଟିଥିଲା। “ରାଜ୍ କଳ୍ପନା ଟ୍ରାଭେଲ୍ସ’ ଦ୍ୱାରା ପରିଚାଳିତ ଏହି ଘରୋଇ ବସ୍ଟି ଦିଲ୍ଲୀରୁ ପ୍ରାୟ ୩୦ ରୁ ୩୫ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିଲା। ନିଆଁ ଲାଗିବା ସମୟରେ ଅଧିକାଂଶ ଯାତ୍ରୀ ଶୋଇଥିଲେ। ଘଟଣାରୁ ବର୍ତ୍ତି ଯାଇଥିବା ସୁନୀଲ କୁମାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ପୋଲିସ ଅଭିଯୋଗ ଅନୁଯାୟୀ, ନିଆଁ ଲାଗିବାର କିଛି ସମୟ ପୂର୍ବରୁ ଯାତ୍ରୀମାନେ ବସ୍ର ସାମ୍ନା ଭାଗରୁ କିଛି ଜଳିବାର ଗନ୍ଧ ଅନୁଭବ କରିଥିଲେ। ଯାତ୍ରୀମାନେ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ସତର୍କ କରାଇଥିଲେ ବୋଲି ଅଭିଯୋଗ ହୋଇଛି। କୁମାର ଅଭିଯୋଗ କରିଛନ୍ତି ଯେ ଯାତ୍ରୀମାନେ ବାରମ୍ବାର ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ସେହି ଗନ୍ଧ ବିଷୟରେ ଜଣାଇଥିଲେ, କିନ୍ତୁ ସେମାନଙ୍କୁ କୁହାଯାଇଥିଲା ଯେ ଏହା ସାଧାରଣ କଥା। କର୍ମଚାରୀମାନେ ବସ୍ ଅଟକାଇ ନଥିଲେ କିମ୍ବା ଗନ୍ଧର ଉତ୍ସ ଯାଞ୍ଚ କରି ନଥିଲେ। ଏହାର କିଛି ମିନିଟ୍ ପରେ, ବସ୍ର ସାମ୍ନା ଭାଗରେ ନିଆଁର ଶିଖା ଦେଖାଦେଇଥିଲା ଏବଂ ଖୁବ୍ ଶୀଘ୍ର ସମଗ୍ର ଗାଡ଼ିରେ ବ୍ୟାପି ଯାଇଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହା ପଛରେ ବିଦ୍ୟୁତ୍ କିମ୍ବା ଏୟାର-କଣ୍ଡିସନିଂ ଜନିତ ତ୍ରୁଟି ରହିଥାଇପାରେ ବୋଲି ସନ୍ଦେହ କରାଯାଉଛି, ଯଦିଓ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଲୋକମାନେ ବାହାରକୁ ବାହାରିବାକୁ ଚେଷ୍ଟା କରୁଥିବା ବେଳେ ଯାତ୍ରୀ ବସିଥିବା ସ୍ଥାନ ଘନ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ବସ୍ ଅଟକିବା ପରେ କିଛି ଯାତ୍ରୀ ବାହାରକୁ ବାହାରିବାରେ ସଫଳ ହୋଇଥିଲେ, ଅନ୍ୟପକ୍ଷରେ କିଛି ଯାତ୍ରୀ ଝରକା ଭାଙ୍ଗି କିମ୍ବା ଗାଡ଼ିରୁ ଡେଇଁ ପଡ଼ିଥିଲେ। ନଅ ଜଣ ଯାତ୍ରୀ ବାହାରକୁ ବାହାରି ପାରିନଥିଲେ ଏବଂ ନିଆଁରେ ପୋଡ଼ି ପ୍ରାଣ ହରାଇଥିଲେ। ସେମାନଙ୍କ ମୃତଦେହକୁ ଚିହ୍ନଟ ଓ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା। ଆହତ ହୋଇଥିବା ଅନେକ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ଜେୱାରସ୍ଥିତ କୈଳାଶ ହସ୍ପିଟାଲକୁ ନିଆଯାଇଥିଲା। ପୋଲିସ କହିଛି ଯେ ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୮ ଜଣ ପୁରୁଷ ଅନ୍ତର୍ଭୁକ୍ତ ଥିଲେ। ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଯାତ୍ରୀମାନଙ୍କର ସାମଗ୍ରୀ ଓ ବ୍ୟାଗ୍ଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଥିଲା; ଏଥିରେ ଗାଡ଼ି ଭିତରେ ଏବଂ ଛାତ ଉପରେ ରଖାଯାଇଥିବା ସାମଗ୍ରୀ ମଧ୍ୟ ସାମିଲ ଥିଲା। ଗୌତମ ବୁଦ୍ଧ ନଗର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତକାରୀ ଅଧିକାରୀମାନେ ବସ୍ର ଯାଞ୍ଚ କରୁଛନ୍ତି, ବଞ୍ଚିଯାଇଥିବା ଯାତ୍ରୀଙ୍କ ସହ କଥା ହେଉଛନ୍ତି ଏବଂ ଡ୍ରାଇଭର ତଥା ଅନ୍ୟ କର୍ମଚାରୀମାନେ ସୁରକ୍ଷା ନିୟମାବଳୀ ପାଳନ କରିଥିଲେ କି ନାହିଁ, ତାହା ଯାଞ୍ଚ କରୁଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଏବଂ ମୃତ୍ୟୁ ପଛରେ ବସ୍ କର୍ମଚାରୀଙ୍କ କୌଣସି ଅବହେଳା ରହିଛି କି ନାହିଁ, ତାହା ମଧ୍ୟ ପୋଲିସ ନିର୍ଦ୍ଧାରଣ କରିବ। ଗ୍ରେଟର ନୋଏଡାରେ ବସ୍ରେ ନିଆଁ ଲାଗିବା ଘଟଣାରେ ଜୀବନ ହାନିକୁ ନେଇ ଗଭୀର ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ମୃତକଙ୍କ ପରିବାରବର୍ଗଙ୍କୁ “ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠି’ରୁ ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କା ଏବଂ ଆହତ ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, “ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ ବସ୍ରେ ନିଆଁ ଲାଗିବା ଘଟଣାରେ ଜୀବନ ହାନି ଖବର ଶୁଣି ମୁଁ ମର୍ମାହତ। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ସମବେଦନା। ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି।’ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କର ଉଚିତ୍ ଚିକିତ୍ସା ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କାର ଆର୍ôଥକ ସହାୟତା ଘୋଷଣା କରାଯାଇଛି। କୁହାଯାଉଛି ଯେ, ଏହି ବସ୍ ନାମରେ ବିଭିନ୍ନ ପ୍ରକାରର ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ମୋଟ ୬୦ରୁ ଅଧିକ ଜରିମାନା ରହିଛି। ଗାଡ଼ି ସମ୍ବନ୍ଧୀୟ ତଥ୍ୟ ପ୍ରଦାନକାରୀ ୱେବସାଇଟ୍ର ରେକର୍ଡ ଅନୁଯାୟୀ, ଏଥିମଧ୍ୟରୁ ୨୦ରୁ ଅଧିକ ଜରିମାନା ବାକି ରହିଛି। ଏହି ବସ୍ ପାଇଁ ମୋଟ ୧.୭ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ପୈଠ କରିବା ବାକି ଅଛି। ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ସର୍ବଶେଷ ଜରିମାନାଟି ଅଗଷ୍ଟ ୧୯ ତାରିଖରେ ଦିଲ୍ଲୀର ମୟୂର ବିହାର ଅଞ୍ଚଳରେ ଲାଗୁ କରାଯାଇଥିଲା, ଯାହା ଉତ୍ତର ପ୍ରଦେଶର ନୋଏଡା ସୀମା ନିକଟରେ ଅବସ୍ଥିତ।
