ନୂଆଦିଲ୍ଲୀ: ପୂର୍ବରୁ ଦୁଇଥର ଅଳ୍ପକେ ପଦକରୁ ବଞ୍ଚିତ ହେବା ପରେ, ଭାରତର ତାରକା ଭାରୋତ୍ତୋଳକ ମୀରାବାଇ ଚାନୁ ଶେଷରେ ବୁଧବାର ଦିନ ମହିଳା ୪୯ କିଗ୍ରା ବର୍ଗରେ ରୌପ୍ୟ ପଦକ ଜିତି ଏସୀୟ କ୍ରୀଡ଼ାରେ ନିଜ ନାମରେ ପଦକ ଯୋଡ଼ିଛନ୍ତି। ଏହି ରୌପ୍ୟ ପଦକ ତାଙ୍କର ଅଲିମ୍ପିକ୍ ରୌପ୍ୟ, ଗୋଟିଏ ସ୍ୱର୍ଣ୍ଣ ସମେତ ତିନୋଟି ବିଶ୍ୱ ଚାମ୍ପିଅନସିପ୍ ପଦକ, ଏକାଧିକ କମନୱେଲଥ୍ ଗେମ୍ସ ଓ କମନୱେଲଥ୍ ଚାମ୍ପିଅନସିପ୍ ଟାଇଟଲ୍ ଏବଂ ଏସୀୟ ଚାମ୍ପିଅନସିପ୍ ବ୍ରୋଞ୍ଜ ପଦକ ସହିତ ଯୋଡ଼ି ହୋଇଛି। ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଚାନୁ “ସ୍ନାଚ୍’ରେ ୮୮ କିଗ୍ରା ଏବଂ “କ୍ଲିନ୍ ଆଣ୍ଡ ଜର୍କ’ରେ ୧୧୧ କିଗ୍ରା ଓଜନ ଉଠାଇ ମୋଟ ୧୯୮ କିଗ୍ରା ସହ ଏହି ପଦକ ହାସଲ କରିଛନ୍ତି। ୧୯୯୮ ମସିହାରେ କର୍ଣ୍ଣମ ମଲ୍ଲେଶ୍ୱରୀ ବ୍ରୋଞ୍ଜ ପଦକ ଜିତିବା ପରେ ଭାରୋତ୍ତୋଳନରେ ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଏହା ପ୍ରଥମ ପଦକ ଅଟେ। ଉତ୍ତର କୋରିଆର ଦୁଇଥରର ବିଶ୍ୱ ଚାମ୍ପିଅନ୍ ରି ସୋଙ୍ଗ ଗୁମ୍ ୨୧୫ କିଗ୍ରା (୯୪ କିଗ୍ରା + ୧୨୧ କିଗ୍ରା) ଓଜନ ଉଠାଇ ନିଜର ଦକ୍ଷତାର ପ୍ରମାଣ ଦେଇଥିଲେ। ସେ ରେକର୍ଡ ସୃଷ୍ଟିକାରୀ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ଜିତି ଏସୀୟ କ୍ରୀଡ଼ାରେ ଟାଇଟଲ୍ ଜିତିବାର “ହ୍ୟାଟ୍ରିକ୍’ ପୂରଣ କରିଥିଲେ। ଚାନୁ “ସ୍ନାଚ୍’ ବିଭାଗରେ ପ୍ରଥମେ ୮୩ କିଗ୍ରା ଓଜନ ଉଠାଇଥିଲେ ଏବଂ ପରବର୍ତ୍ତୀ ଦୁଇଟି ପ୍ରୟାସରେ ଯଥାକ୍ରମେ ୮୫ କିଗ୍ରା ଓ ୮୭ କିଗ୍ରା ଓଜନ ସଫଳତାର ସହ ଉଠାଇ ପ୍ରତିଯୋଗିତାର ପ୍ରଥମ ଭାଗ ଶେଷ ବେଳକୁ ତୃତୀୟ ସ୍ଥାନରେ ରହିଥିଲେ। ଏହାପରେ ସେ “କ୍ଲିନ୍ ଆଣ୍ଡ ଜର୍କ’ ବିଭାଗରେ ସର୍ବାଧିକ ୧୧୧ କିଗ୍ରା ଓଜନ ଉଠାଇ ରୌପ୍ୟ ପଦକ ନିଶ୍ଚିତ କରିଥିଲେ ଏବଂ ଶେଷରେ ଏସୀୟ କ୍ରୀଡ଼ାରେ ନିଜ ନାମରେ ଏକ ପଦକ ଯୋଡ଼ିପାରିଥିଲେ।
