ନୂଆଦିଲ୍ଲୀ: ସେପ୍ଟେମ୍ବର ୨୮ ରୁ ୩୦ ପର୍ଯ୍ୟନ୍ତ ହେବାକୁ ଥିବା ତିନି ଦିନିଆ ସର୍ବଭାରତୀୟ ଧର୍ମଘଟ ସମୟରେ ବ୍ୟାଙ୍କିଙ୍ଗ୍ ସେବା ଯେପରି ବାଧାପ୍ରାପ୍ତ ନ ହୁଏ, ତାହା ସୁନିଶ୍ଚିତ କରିବା ପାଇଁ ସରକାର ସେପ୍ଟେମ୍ବର ୨୭ (ରବିବାର) ଦିନ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକୁ ସ୍ୱାଭାବିକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। “ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ’ ଦ୍ୱାରା ଡକାଯାଇଥିବା ଏହି ଧର୍ମଘଟ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ନିଆଯାଇଛି। ସେପ୍େଟମ୍ବର ୨୬ ଓ ୨୭ ରେ ସାପ୍ତାହିକ ଛୁଟିଦିନ ଥିବା ସତ୍ତ୍ୱେ ଏହି ଧର୍ମଘଟ ଡକାଯାଇଛି। ଅର୍ଥ ମନ୍ତ୍ରଣାଳୟ କହିଛି ଯେ, ଏହି ଅତିରିକ୍ତ କାର୍ଯ୍ୟ ଦିବସ ଗ୍ରାହକମାନଙ୍କୁ ଦୀର୍ଘ ସମୟ ଧରି ସେବା ବାଧାପ୍ରାପ୍ତ ହେବାରୁ ରକ୍ଷା କରିବାରେ ସାହାଯ୍ୟ କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କ ଶାଖା, କାର୍ଯ୍ୟାଳୟ, ଏଟିଏମ୍ ସଂଯୁକ୍ତ ଶାଖା ଏବଂ କରେନ୍ସି ଚେଷ୍ଟ (ମୁଦ୍ରା ଭଣ୍ଡାର) କୁ ସେପ୍େଟମ୍ବର ୨୭ ରେ କାର୍ଯ୍ୟକ୍ଷମ ରଖିବାକୁ ଅନୁମତି ଦେଇଛି। ସରକାର କହିଛନ୍ତି ଯେ ଗ୍ରାହକଙ୍କ କଲ୍ୟାଣ ଏବଂ ସୁବିଧା ସେମାନଙ୍କର ସର୍ବୋଚ୍ଚ ପ୍ରାଥମିକତା ଏବଂ ସେମାନେ ପୁନର୍ବାର ବ୍ୟାଙ୍କ ୟୁନିଅନ୍ଗୁଡ଼ିକୁ ପ୍ରସ୍ତାବିତ ଧର୍ମଘଟ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି। ମଙ୍ଗଳବାର ଦିନ ସରକାର ଏବଂ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ୟୁନିଅନ୍ଗୁଡ଼ିକୁ ଆଲୋଚନା ମାଧ୍ୟମରେ ସେମାନଙ୍କର ବକେୟା ଦାବିଗୁଡ଼ିକର ସମାଧାନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ। ଏହି ପ୍ରସ୍ତାବିତ ଧର୍ମଘଟ ପୂର୍ବରୁ ସେପ୍ଟେମ୍ବର ୧୧ରେ ଦିନିକିଆ ବ୍ୟାଙ୍କ ଧର୍ମଘଟ ଅନୁଷ୍ଠିତ ହୋଇଥିଲା। ୟୁନିଅନ୍ଗୁଡ଼ିକ ମୁଖ୍ୟତଃ ସପ୍ତାହକୁ ପାଞ୍ଚ ଦିନ କାର୍ଯ୍ୟ ଏବଂ “ପରଫର୍ମାନ୍ସ ଲିଙ୍କଡ୍ ଇନସେଣ୍ଟିଭ୍’ ଯୋଜନା ପ୍ରତ୍ୟାହାର କରିବାକୁ ଦାବି କରୁଛନ୍ତି। ସରକାର କହିଛନ୍ତି ଯେ ୟୁନିଅନଗୁଡ଼ିକ ସହିତ ଆଲୋଚନା ପରେ ପିଏଲଏ ଯୋଜନାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତଥାପି, ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହର ଦାବି ଏବେ ବି ବିଚାରାଧୀନ ଅଛି। ଅଧିକାରୀମାନେ ପୂର୍ବରୁ ସୂଚାଇଥିଲେ ଯେ ପ୍ରସ୍ତାବିତ ଧର୍ମଘଟ ସେପେ୍୍ଟମ୍ବର ୩୦ରେ ବ୍ୟାଙ୍କଗୁଡ଼ିକର ଅର୍ଦ୍ଧବାର୍ଷିକ ବନ୍ଦ ସହିତ ସମାନ ହେବ। ଏହା ସମନ୍ୱୟ, ବ୍ୟବସ୍ଥା, ଟ୍ରେଜେରୀ କାର୍ଯ୍ୟକଳାପ ଏବଂ ବଜାର କାର୍ଯ୍ୟକୁ ପ୍ରଭାବିତ କରିପାରେ। ସେପ୍ଟେମ୍ବର ୨୭ ରେ ବ୍ୟାଙ୍କଗୁଡ଼ିକୁ ଖୋଲା ରଖିବା ଦ୍ୱାରା ଧର୍ମଘଟ ଆରମ୍ଭ ହେବା ପୂର୍ବରୁ ଗ୍ରାହକମାନଙ୍କୁ ଏକ ଅତିରିକ୍ତ କାର୍ଯ୍ୟ ଦିବସ ମିଳିବ। ସରକାର କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ବ୍ୟାଙ୍କ କର୍ମଚାରୀଙ୍କ ସହିତ ଜଡିତ ଅବଶିଷ୍ଟ ସମସ୍ୟାଗୁଡ଼ିକର ସମାଧାନ କରାଯିବା ସହିତ ଅତ୍ୟାବଶ୍ୟକୀୟ ବ୍ୟାଙ୍କିଂ ସେବା ଉପଲବ୍ଧ ରଖିବା ପାଇଁ ପ୍ରୟାସ ଜାରି ରହିବ।
