ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ମା’ କୃଷ୍ଣା ମୁଖାର୍ଜୀଙ୍କର ମଙ୍ଗଳବାର ଅପରାହ୍ନରେ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ଏକ ବିବୃତ୍ତିରେ ପରିବାର ପକ୍ଷରୁ କୁହାଯାଇଛି ଯେ, ସେମାନେ ଅତ୍ୟନ୍ତ ଦୁଃଖର ସହ ଏହି ଖବର ଜଣାଉଛନ୍ତି ଏବଂ ସେମାନଙ୍କୁ ମିଳିଥିବା ଭଲପାଇବା, ପ୍ରାର୍ଥନା ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଉଛନ୍ତି। ଏହି ଶୋକାକୁଳ ସମୟରେ ପରିବାର ପକ୍ଷରୁ ଗୋପନୀୟତା ରକ୍ଷା କରିବାକୁ ମଧ୍ୟ ଅନୁରୋଧ କରାଯାଇଛି।
କୃଷ୍ଣା ମୁଖାର୍ଜୀଙ୍କ ମୃତ୍ୟୁର କାରଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ସେ ଚଳଚ୍ଚିତ୍ର ନିର୍ମାତା ତଥା ‘ଫିଲ୍ମାଲୟା ଷ୍ଟୁଡିଓ’ର ସହ-ପ୍ରତିଷ୍ଠାତା ରାମ ମୁଖାର୍ଜୀଙ୍କୁ ବିବାହ କରିଥିଲେ, ଯାହାଙ୍କର ୨୦୧୭ ମସିହାରେ ଦେହାନ୍ତ ହୋଇଥିଲା। ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଥିଲେ—ଅଭିନେତ୍ରୀ ରାଣୀ ମୁଖାର୍ଜୀ ଏବଂ ଚଳଚ୍ଚିତ୍ର ପ୍ରଯୋଜକ ରାଜା ମୁଖାର୍ଜୀ। କୃଷ୍ଣା ମୁଖାର୍ଜୀ ଜଣେ ପ୍ଲେ-ବ୍ୟାକ୍ ଗାୟିକା ଭାବରେ ବଙ୍ଗଳା ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଥିଲେ। ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ ୧୯୮୨ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ତୀସରୀ ଆଁଖ’ର ଗୀତ ‘ଇଦ୍ କେ ଦିନ୍ ଗଲେ ମିଲ୍ ଲେ ରାଜା’ ଅନ୍ତର୍ଭୁକ୍ତ।
