ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ଜିଲ୍ଲା ଅଧୀନ ଗୋସାଇନୁଆଗାଁ ଥାନା ପୁଲିସ ଦୀର୍ଘଦିନ ଧରି ଫେରାର ଥିବା ଜଣେ ୱାରେଣ୍ଟିକୁ ମୁମ୍ବାଇରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଟୁନା ଓରଫ ଜଗଦୀଶ ଚନ୍ଦ୍ର ପାତ୍ର ଓରଫ ନିଖିଲେଶ ପାତ୍ର ଓରଫ ଜଙ୍ଗୁ ଟୁନା (୪୦)। ତାଙ୍କ ଘର ଗୋସାଇନୁଆଗାଁ ଥାନା ଅଧୀନ ବ୍ରିଟ୍ କଲୋନୀ, ନୀଳକଣ୍ଠନଗରରେ। ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ ୪ଟି ଅଜାମିନଯୋଗ୍ୟ ଗିରଫ ପରୱାନା (ଏନ୍?ବିଡବ୍ଲ୍ୟୁ) ବିଚାରାଧୀନ ଥିଲା। ସେ ଗୋସାଇନୁଆଗାଁ ଓ ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ମୋଟ ୨୧ଟି ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ପୁଲିସ ପକ୍ଷରୁ କୁହାଯାଇଛି।ଅଭିଯୁକ୍ତଙ୍କ ଠିକଣା ସମ୍ପର୍କରେ ଦୀର୍ଘଦିନ ଧରି ତଦନ୍ତ ଓ ଖୋଜାଖୋଜି ଚାଲିଥିବା ବେଳେ ତାଙ୍କ ମୁମ୍ବାଇରେ ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ଗୋସାଇନୁଆଗାଁ ଥାନାର ଏକ ପୁଲିସ ଟିମ୍ ମହାରାଷ୍ଟ୍ର ଯାଇ ତାଙ୍କୁ ଧରିଥିଲା।ଗତ ୧୯ ତାରିଖରେ ମୁମ୍ବାଇର ପନଭେଲ ଅଧୀନ ତାଲୋଜା ଥାନା ଅଞ୍ଚଳର ଗ୍ୟାଲାକ୍ସି କମ୍ପାନୀ ନିକଟରୁ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ପରେ ଟ୍ରାନଜିଟ୍ ରିମାଣ୍ଡରେ ତାଙ୍କୁ ଗୋସାଇନୁଆଗାଁ ଥାନାକୁ ଅଣାଯାଇଥିଲା। ସୋମବାର ତାଙ୍କୁ ବିଚାର ପାଇଁ ମାନ୍ୟବର ଅଦାଲତରେ ହାଜର କରାଯାଇଛି।ପୁଲିସ ରେକର୍ଡ ଅନୁଯାୟୀ, ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଆଦାୟ, ଅସ୍ତ୍ରଶସ୍ତ୍ର ଆଇନ, ବିସ୍ଫୋରକ ପଦାର୍ଥ ଆଇନ ଏବଂ ଏସ୍?ସି-ଏସ୍?ଟି ଆଇନ ସମ୍ପର୍କିତ ମାମଲା ରହିଛି।
