ବ୍ରହ୍ମପୁର: ଲାଠି ଗାଁରେ ସାମାନ୍ୟ ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ବାଉଁଶ ଠେଙ୍ଗାରେ ଆକ୍ରମଣ କରିବା ଏବଂ ପରେ ହତ୍ୟା ଧମକ ଦେବା ଅଭିଯୋଗରେ ବ୍ରହ୍ମପୁର ସଦର ଥାନା ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।ପୁଲିସ ସୂଚନା ଅନୁଯାୟୀ, ଲାଠି ଗାଁର ବାଉରୀ ସାହିର ସମୀର ଦାସ ଓରଫ ବୁଡୁ ଦାସ (୩୮) ଗତ ୭ ତାରିଖ ସକାଳ ପ୍ରାୟ ୧୦ଟା ୩୦ରେ ହରିଜନ ସାହି ରାସ୍ତା ଦେଇ ଯାଉଥିବା ଅଭିଯୋଗକାରୀଙ୍କ ସହ ସାମାନ୍ୟ ବିବାଦକୁ ନେଇ ଝଗଡ଼ା କରିଥିଲେ। ପରେ ବାଉଁଶ ଠେଙ୍ଗାରେ ତାଙ୍କୁ ଆକ୍ରମଣ କରିବାରୁ ଅଭିଯୋଗକାରୀଙ୍କ ବାମ କାନରେ ଗଭୀର ରକ୍ତାକ୍ତ ଆଘାତ ଲାଗିଥିଲା। ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ପରେ ୧୦ ତାରିଖ ସକାଳ ପ୍ରାୟ ୮ଟାରେ ଅଭିଯୁକ୍ତ ପୁଣି ଅଭିଯୋଗକାରୀଙ୍କ ଘର ନିକଟକୁ ଯାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା।ଏନେଇ ଅଭିଯୋଗକାରୀଙ୍କ ରିପୋର୍ଟ ଆଧାରରେ ବ୍ରହ୍ମପୁର ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଆକ୍ରମଣରେ ବ୍ୟବହୃତ ବାଉଁଶ ଠେଙ୍ଗାକୁ ପୁଲିସ ଜବତ କରିଥିଲା। ତଦନ୍ତ ପରେ ଅଭିଯୁକ୍ତ ସମୀର ଦାସ ଓରଫ ବୁଡୁ ଦାସ (୩୮), ବାଉରୀ ସାହି, ଲାଠି ଗାଁ, ବ୍ରହ୍ମପୁର ସଦର ଥାନା ଅଞ୍ଚଳଙ୍କୁ ୨୧ ତାରିଖ ସକାଳ ପ୍ରାୟ ୧୦ଟା ୩୦ରେ ପୁଲିସ ଗିରଫ କରି ଅଦାଲତକୁ ଚାଲାଣ କରିଛି।
