ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟାନ୍ୟ ନେତାମାନେ ସୋମବାର ଦିନ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି। ଏହି ଆବେଦନ ଭୋଟର ତାଲିକାର “ସ୍ୱତନ୍ତ୍ର ସଘନ ସଂଶୋଧନ’ (ଏସ୍ଆଇଆର) ପ୍ରକ୍ରିୟାରେ ବ୍ୟାପକ ଭାବେ ଭୋଟରଙ୍କ ନାମ ବାଦ୍ ଦିଆଯିବା ଏବଂ ଅନିୟମିତତା ଅଭିଯୋଗକୁ ନେଇ କରାଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ, ତୃଣମୂଳ କଂଗ୍ରେସ ସାଂସଦ ସୌଗତ ରାୟ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ପ୍ରସାଦ ଯାଦବ, ଏନସିପି-ଏସସିପି ନେତ୍ରୀ ସୁପ୍ରିୟା ସୁଲେ, ଶିବସେନା-ୟୁବିଟି ନେତା ସଞ୍ଜୟ ରାଉତ, ସିପିଆଇ ନେତା ଡି. ରାଜା, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସାଂସଦ ମହୁଆ ମାଝୀ, ସିପିଆଇ-ଏମ ସାଧାରଣ ସମ୍ପାଦକ ଏମ୍.ଏ. ବେବି ଏବଂ ଆଇୟୁଏମଏଲ ନେତା ଇ.ଟି. ମହମ୍ମଦ ବସିର ମଧ୍ୟ ଏହି ଆବେଦନ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟଙ୍କ ୱେବସାଇଟ୍ ଅନୁଯାୟୀ, ସନ୍ଧ୍ୟା ସମୟରେ ଏହି ଆବେଦନ ଦାଖଲ କରାଯାଇଥିଲା। ବିରୋଧୀ ଦଳର ସାଂସଦ ଓ ନେତାମାନେ ଶହ ଶହ ସମର୍ଥକ ଓ କର୍ମୀଙ୍କ ସହ ମିଶି ସୋମବାର ଦିନ ସୁପ୍ରିମକୋର୍ଟ ଅଭିମୁଖେ “ଗଣତନ୍ତ୍ର ପାଇଁ ପଦଯାତ୍ରା’ ଆରମ୍ଭ କରିଥିଲେ। ସେମାନେ “ଭୋଟ୍ ଚୋରି’ ଅଭିଯୋଗ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ ଆବେଦନ ଦାଖଲ କରିବାକୁ ଏହି ପଦଯାତ୍ରା କରିଥିଲେ। ରବିବାର ଦିନ ମିଳିଥିବା ସୂଚନା ଅନୁଯାୟୀ, ଭୋଟ୍ ଚୋରି ଅଭିଯୋଗ ସମ୍ପର୍କରେ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ମନା କରିଦେଇଥିଲେ; ସେ କହିଥିଲେ ଯେ ସୁପ୍ରିମକୋର୍ଟରେ ଏହି ପ୍ରକାରର ମାମଲାଗୁଡ଼ିକର ବିଚାର ଚାଲିଛି । ଗାନ୍ଧୀ ଓ ଖାଡ଼ଗେ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ସୋମବାର ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ତାଙ୍କୁ ଭେଟିବାକୁ ଅନୁରୋଧ କରିଥିଲେ। ସେମାନେ ଏକ ସ୍ମାରକପତ୍ର ପ୍ରଦାନ କରି ଭୋଟ୍ ଚୋରି ବନ୍ଦ କରିବା, କୁମାରଙ୍କ ଇସ୍ତଫା, ନିର୍ବାଚନୀ ତାଲିକାର ଏସ୍ଆଇଆର୍ ପ୍ରକ୍ରିୟା ବନ୍ଦ କରିବା ଏବଂ ପୁନର୍ବାର ପେପର ବାଲଟ୍ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରିବାକୁ ଚାହୁଁଥିଲେ।
