ବାରିପଦା /ସାହାରପଡା; ବେଆଇନ କାଠ ଚାଲାଣ ସନ୍ଦେହରେ ପାଟଣା ବନ ବିଭାଗର ରାତିଅଧିଆ ଚଢ଼ାଉ ବେଳେ ଧରା ପଡ଼ିଛି ବଳଦ ବୋଝେଇ ପିକ୍ଅପ୍ ଗାଡ଼ି। ଗାଡ଼ିରୁ ୯ଟି ବଳଦ ଉଦ୍ଧାର ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨ ଜଣଙ୍କୁ ଅଟକ ରଖା ଯାଇଛି। ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ର ଜଣା ପଡ଼ିଛି। ଏନେଇ ପାଟଣା ଥାନାରେ କେସ୍ ନମ୍ବର ୩୨୩/୨୬ ମୂଳେ ମାମଲା ରୁଜୁ ହୋଇଥିବା ର ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗତକାଲି ୨୦ ତାରିଖ ରାତି ପ୍ରାୟ ୧୧ଟା ସମୟରେ ପାଟଣା ବନାଞ୍ଚଳରେ କାଠ ଓ ଗୋରୁ ବେଆଇନ ଭାବେ ଚାଲାଣ ହେଉଥିବା ନେଇ ପାଟଣା ରେଞ୍ଜ ଅଧିକାରୀଙ୍କୁ ଗୁପ୍ତ ସୂଚନା ମିଳିଥିଲା। ସୂଚନା ପାଇବା ପରେ ପାଟଣା ବନାଞ୍ଚଳ ଅଧିକାରୀ ଆର୍ତତ୍ରାଣ ମିର୍ଦ୍ଧାଙ୍କ ନେତୃତ୍ୱରେ ବନ ବିଭାଗର ଟିମ୍ ସଜାଗ ହୋଇ ନଜର ରଖିଥିଲା।ଏହି ସମୟରେ ଏକ ସନ୍ଦେହ ଜନକ ପିକ୍ଅପ୍ ଗାଡ଼ିକୁ ମଲ୍ଲିପୋଷି ଅଞ୍ଚଳରୁ ବନ କର୍ମଚାରୀ ମାନେ ପିଛା କରିଥିଲେ। ବନ ବିଭାଗ ପିଛା କରୁଥିବା ଜାଣି ଗାଡ଼ିଟି ୨୨୦ ନମ୍ବର ଜାତୀୟ ରାଜପଥ ଛାଡ଼ି ଟଭାସରୁଆ ଦେଇ ଗଣ୍ଡବେଡ଼ା ଆଡ଼କୁ ଯାଇଥିଲା। ପରେ ତେଲିପଡ଼ା ଅଞ୍ଚଳରେ ବନ କର୍ମଚାରୀମାନେ ଗାଡ଼ିଟିକୁ କାବୁ କରିଥିଲେ। ଗାଡ଼ିକୁ ଯାଞ୍ଚ କରିବା ପରେ ଭିତରୁ ୯ଟି ବଳଦ ମିଳିଥିଲା। ଗାଡ଼ିରେ ମୋଟ ୪ ଜଣ ଥିବା ବେଳେ ବନ କର୍ମଚାରୀଙ୍କୁ ଦେଖି ୨ ଜଣ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ। ଅନ୍ୟ ୨ ଜଣଙ୍କୁ ବନ କର୍ମଚାରୀ ମାନେ କାବୁ କରିଥିଲେ। ଏହା ସହ ପିକ୍ଅପ୍ ଗାଡ଼ି ଟିକୁ ମଧ୍ୟ ଜବତ କରା ଯାଇଛି।
ପାଟଣା–ସାହାରପଡ଼ା ସେକ୍ସନର ମିଳିତ ଚଢ଼ାଉ।

ପାଟଣା ବନ ଅଧିକାରୀ ଆର୍ତତ୍ରାଣ ମିର୍ଦ୍ଧାଙ୍କ ନେତୃତ୍ୱରେ ପାଟଣା ଓ ସାହାରପଡ଼ା ସେକ୍ସନର ବନ କର୍ମଚାରୀମାନେ ମିଳିତ ଭାବେ ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ରାତି ସମୟରେ ଗାଡ଼ିଟି ରାଜପଥ ଛାଡ଼ି ଗ୍ରାମାଞ୍ଚଳ ରାସ୍ତା ଦେଇ ଯାଇଥିଲେ ମଧ୍ୟ ବନ ବିଭାଗ ତାହାକୁ ପିଛା କରି ଧରିବାରେ ସଫଳ ହୋଇଛି। ପରେ ପାଟଣା ଥାନା ପୁଲିସ ପହଞ୍ଚି ଜବତ ଗାଡ଼ି, ଉଦ୍ଧାର ବଳଦ ଓ ଅଟକ ଥିବା ୨ ଜଣଙ୍କୁ ହେପାଜତକୁ ନେଇଥିଲା। ଏ ସମ୍ପର୍କରେ ପାଟଣା ଥାନା କେସ୍ ନମ୍ବର ୩୨୩/୨୬ ରୁଜୁ ହୋଇ ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ ୨୨୦ ନମ୍ବର ଜାତୀୟ ରାଜପଥ ଦେଇ ଗୋରୁ ଚାଲାଣ ନେଇ ଅଭିଯୋଗ ରହିଥିବା ବେଳେ, ଏହି ଘଟଣା ପରେ ରାଜପଥ ଓ ଏହା ସଂଲଗ୍ନ ଗ୍ରାମାଞ୍ଚଳ ରାସ୍ତାରେ ନଜରଦାରି ବଢ଼ାଇବା ନେଇ ଦାବି ଉଠିଛି। ଘଟଣାରେ ଚମ୍ପଟ ମାରିଥିବା ଅନ୍ୟ ୨ ଜଣଙ୍କୁ ଚିହ୍ନଟ କରିବା ସହ ଗୋରୁ ଚାଲାଣର ପ୍ରକୃତ ଉଦ୍ଦେଶ୍ୟ ଓ ସମ୍ପୃକ୍ତି ସମ୍ପର୍କରେ ତଦନ୍ତ ପରେ ସ୍ପଷ୍ଟ ହେବ।
