ଖପ୍ରାଖୋଲ: ଗୁଣିଗାରେଡ଼ି ଓ ତାବିଜ ଦେବାର ଆଳ ଦେଖାଇ ପ୍ରଥମେ ସୁନା ମୁଦି ଠକେଇ, ଏହାପରେ ଜଣେ ନାବାଳିକାଙ୍କୁ ଜୋରଜବରଦସ୍ତି କା?ର୍ରେ ଉଠାଇନେବା ଅଭିଯୋଗକୁ ନେଇ ଲାଠୋର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଘଟଣାରେ ଲାଠୋର ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ନାବାଳିକାଙ୍କୁ ଅଭିଯୁକ୍ତମାନେ କେଉଁ ଉଦ୍ଦେଶ୍ୟରେ ଅପହରଣ କରି ନେଉଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାରୁ ଘଟଣା ପଛର ରହସ୍ୟକୁ ନେଇ ପ୍ରଶ୍ନ ଉଠିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ହଳନାଭଟା ଗ୍ରାମର ଗୋଟିଏ ପରିବାର ନିକଟକୁ ଗତ ୧୮ ସେପ୍େଟମ୍ବର ସକାଳ ପ୍ରାୟ ୧୦ଟାରେ ମଧୁସୂଦନ ଦାଶ ଆସିଥିଲା । ପରିବାର ର ବଡ଼ ଝିଅଙ୍କ ଉପରେ ଗୁଣିଗାରେଡ଼ିର ପ୍ରଭାବ ରହିଥିବା ଏବଂ କିଛି ନିର୍ଦ୍ଦିଷ୍ଟ କ୍ରିୟାକର୍ମ କଲେ ସେ ଭଲ ହୋଇଯିବେ ବୋଲି ସେ କହିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଏକ ପାତ୍ରରେ ପାଣି ଭରି ସେଥିରେ ସୁନା ମୁଦି ରଖିବାକୁ ମଧୁସୂଦନ କହିଥିଲେ। ତିନି ଦିନ ପରେ ସେହି ପାଣିକୁ ଶରୀରରେ ଛିଞ୍ଚିଲେ ଝିଅ ଠିକ ହୋଇଯିବ ବୋଲି ସେ ପରିବାରକୁ କହିଥିବା ଜଣାପଡ଼ିଛି। ତାଙ୍କ କଥାକୁ ବିଶ୍ୱାସ କରି ପରିବାର ଲୋକେ ପାତ୍ରରେ ସୁନା ମୁଦି ରଖିଥିଲେ। ତେବେ ତିନି ଦିନ ପରେ ପାତ୍ର ଯାଞ୍ଚ କରିବା ବେଳେ ସୁନା ମୁଦି ଗାଏବ ଥିବା ଜଣାପଡ଼ିଥିଲା। ଏହାପରେ ୨୦ ସେପ୍େଟମ୍ବରରେ ମଧୁସୂଦନ ତାବିଜରେ ଔଷଧ ଦେବା ବାହାନାରେ ପରିବାର ର ଦୁଇ ଭଉଣୀଙ୍କୁ ଲାଠୋର ଡାକିଥିଲେ। ନିଖୋଜ ସୁନା ମୁଦି ଏବଂ ଅଭିଯୁକ୍ତଙ୍କ ପରିଚୟ ସମ୍ପର୍କରେ ଜାଣିବା ପାଇଁ ଦୁଇ ଭଉଣୀ ଲାଠୋର ଯାଇଥିଲେ। ଅଗ୍ରସେନ ଭବନ ନିକଟରେ ମଧୁସୂଦନ ସେମାନଙ୍କୁ ଭେଟିବା ପରେ କଥାବାର୍ତ୍ତା ସମୟରେ ସାନ ଭଉଣୀ ନାବାଳିକା କୁ ଜୋରଜବରଦସ୍ତି ଓଡି ୦୩-ଏଏ-୧୭୯୩ ନମ୍ବର ବିଶିଷ୍ଟ ଏକ କା?ର୍ ଭିତରକୁ ଠେଲି ଫେରାର ମାରିଥିଲେ ।ଗାଡ଼ିଟି ଦ୍ରୁତ ଗତିରେ କଣ୍ଟାବାଞ୍ଜି ଦିଗକୁ ଯାଇଥିଲା। ତେବେ ଘଟଣାର ମୋଡ଼ ସେତେବେଳେ ବଦଳିଗଲା, ଯେତେବେଳେ ବଡ଼ ଭଉଣୀ ଗାଡ଼ିର ନମ୍ବରର ଫଟୋ ଉଠାଇ ପରିବାର ଲୋକଙ୍କୁ ଫୋନ୍? ଯୋଗେ ସୂଚନା ଦେଇଥିଲେ। ପରିବାର ଲୋକେ ଗାଡ଼ିର ପିଛା କରି କିଛି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ କଣ୍ଟାବାଞ୍ଜି ଫାୟାର ଅଫିସ ନିକଟରେ ଗାଡ଼ିକୁ ଅଟକାଇଥିଲେ। ସେଠାରୁ ନାବାଳିକା ଙ୍କୁ ଉଦ୍ଧାର କରାଯାଇ ପୁଲିସକୁ ସୂଚନା ଦିଆଯାଇଥିଲା। ସୂଚନା ପାଇ ଲାଠୋର ପୁଲିସ ମଧୁସୂଦନ ଦାଶ ଓ ମୁରଲୀଧର ଛତ୍ରିଆଙ୍କୁ ଗାଡ଼ି ସହ ଅଟକ ରଖି ପରେ ଥାନାକୁ ଆଣି ପଚରାଉଚରା କରିଥିଲା। ଅଭିଯୁକ୍ତ ମଧୁସୂଦନ ଦାଶ(୪୦) ଟିଟିଲାଗଡ଼ ଥାନା ବାଞ୍ଜିଝାଲ ଗ୍ରାମର ହୋଇଥିବାବେଳେ ତାର ସହଯୋଗୀ ଗାଡିର ଡ୍ରାଇଭର ମୁରଲୀଧର ଛତ୍ରିଆ(୨୭) କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଥେମରା ଗ୍ରାମର କିନ୍ତୁ ସେ ଟିଟିଲାଗଡ଼ ରେଲୱେ କଲୋନୀ ରେ ରହୁଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଏନେଇ ଲାଠୋର ଥାନା କେସ ନଂ ୧୭୦/୨୦୨୬ ରେ ମାମଲା ଋଜୁ ହୋଇ ଘଟଣାର ଅଧିକ ତଦନ୍ତ କରୁଥିବା ଲାଠୋର ଥାନାଧିକାରୀ ଅଭିନାଶ ପଧାନ ସୂଚନା ଦେଇଛନ୍ତି । ତେବେ ଏହି ସମଗ୍ର ଘଟଣାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ନାବାଳିକାଙ୍କୁ ଅଭିଯୁକ୍ତମାନେ ପ୍ରକୃତରେ କେଉଁ ଉଦ୍ଦେଶ୍ୟରେ ଗାଡ଼ିରେ ନେଉଥିଲେ ? ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ନାବାଳିକାଙ୍କୁ ନେବା ପଛର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିନାହିଁ। ତେଣୁ ଏହି ଘଟଣା ପଛରେ ଆଉ କୌଣସି ଉଦ୍ଦେଶ୍ୟ ଥିଲା କି ନାହିଁ, ତାହା ତଦନ୍ତରେ ସ୍ପଷ୍ଟ ହେବାକୁ ବାକି ରହିଛି।
