ଭୁବନେଶ୍ୱର: ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ଆଜି ରାଜ୍ୟ କନଭେନସନ ସେଣ୍ଟରଠାରେରାଜ୍ୟସ୍ତରୀୟ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାଣୀ ସମ୍ପଦ, ପ୍ରାଣୀସ୍ୱାସ୍ଥ୍ୟ ଓ ମତ୍ସ୍ୟପାଳନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହି ଅବସରରେ ପ୍ରାଣିସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବା ପାଇଁ ଆଜି ରାଜ୍ୟରେ ପ୍ରାୟ ୧୦୦ କୋଟି ଟଙ୍କାରେ ନିର୍ମିତ ୭୬ଟି ପ୍ରାଣୀ ଚିକିତ୍ସାଳୟ ଓ ୪ଟି ପ୍ରାଣୀ ସହାୟତା କେନ୍ଦ୍ରର ନୂତନ ଗୃହ ଉଦଘାଟନ କରିଛନ୍ତି। ଏହାସହିତ ୧୭୭ କୋଟି ଟଙ୍କା ବିନିଯୋଗରେ ୨୧୯ଟି ନୂତନ ପ୍ରାଣୀ ଚିକିତ୍ସାଳୟ ଓ ରୋଗ ନିର୍ଣ୍ଣୟ ଲ୍ୟାବ ନିର୍ମାଣ ପାଇଁ ୬ଟି ସରକାରୀ ଉଦ୍ୟୋଗ ସହ ଏମଓୟୁ ମଧ୍ୟ ସ୍ୱାକ୍ଷର ହୋଇଛି। ଏହି ବୁଝାମଣାପତ୍ରରେ କଟକର ଫୁଲନଖରାରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ଏକ ରାଜ୍ୟସ୍ତରୀୟ ମଲିକ୍ୟୁଲାର ଲାବରେଟୋରୀ ସ୍ଥାପନ ହେବ। ସେହିପରି ପଶୁ ଖାଦ୍ୟର ଗୁଣ ପରୀକ୍ଷା ପାଇଁ ୬ କୋଟି ଟଙ୍କା ବ୍ୟୟରେ ରାଜ୍ୟସ୍ତରୀୟ ଖାଦ୍ୟ ପରୀକ୍ଷାଗାର ସଶକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିସହିତ ଓପୋଲଫେଡ଼ର ୫୦ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ବ୍ରାଉନ ଅଣ୍ଡା ଓ ଦେଶୀ ‘ଅସିଲ୍’ ଚିକେନର ବିପଣନ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ଏହା କୁକୁଡ଼ା ପାଳକମାନଙ୍କୁ ଉଚିତ ମୂଲ୍ୟ ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ମତ୍ସ୍ୟଜୀବୀଙ୍କ ଉନ୍ନତି ପାଇଁ ଆଜି ୫୦ କୋଟି ଟଙ୍କା ବ୍ୟୟରେ ଭଦ୍ରକର କସିଆ ଠାରେ ମତ୍ସ୍ୟ ଅବତରଣ କେନ୍ଦ୍ର ଓ ଧାମରା ମାଛଧରା ବନ୍ଦରର ଉନ୍ନତିକରଣ କାର୍ଯ୍ୟ ଉଦଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ କୃଷକଙ୍କ ଆୟ ବୃଦ୍ଧି ପାଇଁ କେବଳ ପାରମ୍ପରିକ ଚାଷ ପର୍ଯ୍ୟାପ୍ତ ନୁହେଁ। ମାଛଚାଷ, ଗୋପାଳନ, କୁକୁଡ଼ା ପାଳନ, ଛେଳିମେଣ୍ଢା ପାଳନ ପରି ଆନୁଷଙ୍ଗିକ କୃଷିକୁ ଆଗେଇ ନେବା ଆବଶ୍ୟକ। ଆମର ଲକ୍ଷ୍ୟ କେବଳ ଚାଷୀଙ୍କ ଆୟ ଦୁଇଗୁଣ କରିବା ନୁହେଁ, ବହୁଗୁଣିତ କରିବା। ରାଜ୍ୟରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଆରମ୍ଭ କରାଯାଇଛି। ୧,୪୨୩ କୋଟି ଟଙ୍କା ବ୍ୟୟରେ ଚାଲୁଥିବା ଏହି ଯୋଜନା ମାଧ୍ୟମରେ ଆଗାମୀ ପାଞ୍ଚବର୍ଷରେ ୧୫ ଲକ୍ଷରୁ ଅଧିକ ଗୋପାଳକ ଉପକୃତ ହେବେ। ଉଚ୍ଚ ଦୁଗ୍ଧ ଉତ୍ପାଦନକାରୀ ଗାଈ ପାଳନ ପାଇଁ ୭୦ ପ୍ରତିଶତ ପର୍ଯ୍ୟନ୍ତ ସହାୟତା ଦିଆଯାଉଛି। ସେହିପରି ପ୍ରାଣୀ କଲ୍ୟାଣ ଯୋଜନା ଅଧୀନରେ ନୂତନ ଗୋଶାଳା, ଖାଦ୍ୟ, ରକ୍ଷଣାବେକ୍ଷଣ ଓ ସ୍ୱାସ୍ଥ୍ୟସେବା ପାଇଁ ୩୩ କୋଟି ଟଙ୍କା ବ୍ୟବସ୍ଥା ହୋଇଛି। କୁକୁଡ଼ାପାଳନ ଓ ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ପ୍ରାଣିସମ୍ପଦ ସମୃଦ୍ଧି ଯୋଜନା ମାଧ୍ୟମରେ ୧,୦୩୧ କୋଟି ଟଙ୍କା ବ୍ୟୟ ହେବା ସହ ୩.୭୩ ଲକ୍ଷ ପରିବାର ଉପକୃତ ହେବେ। ଚଳିତ ବର୍ଷର ପ୍ରସଙ୍ଗ ଉତ୍ତମ ଖାଦ୍ୟ ଓ ସ୍ୱାସ୍ଥ୍ୟ ପାଇଁ ପ୍ରାଣିଚିକିତ୍ସକ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ଅର୍ଥନୀତିରେ ପ୍ରାଣୀସମ୍ପଦର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି। ସେ କହିଥିଲେ ଯେ, ପ୍ରାଣି ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ସାର୍ବଜନୀନ ସ୍ୱାସ୍ଥ୍ୟକୁ ସମନ୍ୱୟ କରି ‘ୱାନ ହେଲଥ’ ଆଭିମୁଖ୍ୟକୁ ଆହୁରି ସୁଦୃଢ କରିବା ଆବଶ୍ୟକ। ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ଅନୁସାରେ ରାଜ୍ୟକୁ ଦୁଗ୍ଧ, ଅଣ୍ଡା ଓ ମାଂସ ଉତ୍ପାଦନରେ ଆତ୍ମନିର୍ଭର କରାଯିବ। ୨୦୪୭ ସୁଦ୍ଧା ଅଣ୍ଡା ଉତ୍ପାଦନରେ ଓଡ଼ିଶାକୁ ଦେଶର ପଞ୍ଚମ ସ୍ଥାନକୁ ନେବା ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। ପ୍ରାଣି ସ୍ୱାସ୍ଥ୍ୟ ସେବାକୁ ଲୋକଙ୍କ ହାତପାହାନ୍ତାରେ ପହଞ୍ଚାଇବା ପାଇଁ ଆମ ସରକାର ୨୦୦୦ ପ୍ରଶିକ୍ଷିତ ଗୋଷ୍ଠୀ ପ୍ରାଣିସ୍ୱାସ୍ଥ୍ୟ କର୍ମୀ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କର୍ମୀମାନେ ଗ୍ରାମାଞ୍ଚଳରେ ଟୀକାକରଣ କ୍ଷେତ୍ରରେ ଚାଷୀମାନଙ୍କୁ ସହାୟତା କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସଫଳ ପ୍ରାଣିଚିକିତ୍ସକ, ପ୍ରାଣିପାଳକ ଓ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ବିକଶିତ ରାଜ୍ୟ ଗଠନରେ ସମୁହିକ ଭାଗିଦାରୀ ପାଇଁ ଆହ୍ୱାନ କରିଥିଲେ।
