ନିଳଗିରି; ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି କୁଲଡ଼ିହା ଅଭୟାରଣ୍ୟ । ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଜୀବଜନ୍ତୁ ଓ ଜଙ୍ଗଲକୁ ସୁରକ୍ଷାଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଦିନକୁଦିନ ଶିକାରୀଙ୍କ ସଂଖ୍ୟା ବଢ଼ିଚାଲିଥିବାର ଲକ୍ଷ୍ୟ କରାଯାଇଛି। ଟ୍ରାପ୍ କ୍ୟାମେରା, ଏଆଇ କ୍ୟାମେରା ଓ ନୂତନ ଜ୍ଞାନକୌଶଳରେ ନିର୍ମିତ ବିଭିନ୍ନ ସରଞ୍ଜାମ ବ୍ୟବହାର କରାଯାଇଥିବା ବେଳେ ଶିକାରୀ ଓ ଶିକାରୀଙ୍କ ରୋକ ଲଗାଇବାରେ ବିଫଳ ହୋଇଛି ବିଭାଗ। ଅଭୟାରଣ୍ୟ ଭିତରେ ହାତୀଦାନ୍ତ ଚୋରାଚାଲାଣ ଠାରୁ ଆରମ୍ଭକରି ଜନ୍ତୁଶିକାର ବଢ଼ିଚାଲିଥିବା ବେଳେ ବିଭାଗ କାଁ ଭାଁ ଶିକାରୀମାନଙ୍କୁ ଗିରଫ କରି ବାଃ ବାଃ ନେଉଥିବାର ଅଭିଯୋଗ ଉଠିଛି। ଯଦି ବିଭାଗ ଅଧିକ ସଂଖ୍ୟାରେ ଶିକାରୀକୁ ଗିରଫ କରିଛି ତେବେ ଅଭୟାରଣ୍ୟରେ ଜନ୍ତୁ ଶିକାର କମିଛି ନା ବଢ଼ିଛି? ଏବେ କୁଲଡ଼ିହା ରେଞ୍ଜରେ ସ୍ଥାୟୀରେଞ୍ଜରଙ୍କ ବଦଳରେ ଜଣେ ବନପାଳଙ୍କୁ ରେଞ୍ଜଦାୟୀତ୍ୱ ଦିଆଯାଇଥିବାରୁ ଶିକାରୀମାନଙ୍କୁ ଅଭୟାରଣ୍ୟ ଭିତରେ ଶିକାର କରିବାକୁ ସହଜ ହେଉଥିବାର କୁହାଯାଉଛି । ଏଆଇ, ଟ୍ରାପ୍ କ୍ୟାମେରା ଦ୍ୱାରା ବାରମ୍ବାର ଶିକାରୀ ଗିରଫ ହେଉଥିବା ବେଳେ ଆଜି କୁଲଡ଼ିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଲଗାଯାଇଥିବା ଟ୍ରାପ୍ କ୍ୟାମେରା ଆଧାରରେ ବାଲେଶ୍ୱର ଜିଲ୍ଲା ଔପଦାଥାନା ଦରଖୋଳି ନିକଟସ୍ଥ ବେତେଇ (ମାଡ଼ିଚୁଆ) ଗ୍ରାମର ରବୀନ୍ଦ୍ର ହୋ (୨୩)ଙ୍କୁ ଗିରଫ କରିଛି।ବନବିଭାଗର ଏକ ଟିମ ରବୀନ୍ଦ୍ରଙ୍କ ଘରେ ଖାନତଲାସ କରି ଏକ ହାତତିଆରି ଦେଶୀବନ୍ଧୁକ, ୭ଟି ଫାଶ, ଶିକାରରେ ବ୍ୟବହୃତ ହେଉଥିବା ଏକ ହେଡଟର୍ଚ୍ଚକୁ ସ୍ଥାନୀୟ ସାକ୍ଷୀଙ୍କ ଉପସ୍ଥିତିରେ ଜବତ କରିଛି। ସମସ୍ତ ଶିକାର ସରଞ୍ଜାମ ସହିତ ଅଭିଯୁକ୍ତକୁ ଗିରଫ କରି ନୀଳଗିରି କୁଳଡିହା କାର୍ଯ୍ୟାଳୟକୁ ଅଣାଯାଇଥିବା ବେଳେ ଅଭିଯୁକ୍ତ ରବୀନ୍ଦ୍ରଙ୍କୁ କୋର୍ଟଚାଲାଣ କରିଛି। ଏନେଇ ବନବିଭାଗ କେସ ନଂ ୧୦କେ/୨୦୨୬/୨୭ରେ ମାମଲା ରୁଜୁକରି ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛି।
