ନୂଆଦିଲ୍ଲା ; ରାଜସ୍ଥାନ ରୟାଲ୍ସର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଆଇପିଏଲରେ ୫୦୦ ରନ ପୂରଣ କରିଛନ୍ତି । ସେ ଲିଗର ସର୍ବକନିଷ୍ଠ ଖେଳାଳି ଭାବେ ଏହି ଗୌରବ ଲାଭ କରିଛନ୍ତି । ୧୫ଟି ମ୍ୟାଚ ଖେଳି ବୈଭବ ୫୧୪ ରନ କରିଛନ୍ତି । ଯେଉଁଥିରେ ଗୋଟିଏ ଶତକ ଓ ୩ଟି ଅର୍ଦ୍ଧଶତକ ସାମିଲ ରହିଛି । ଚଳିତ ସିଜନରେ ସେ ୭ଟି ମ୍ୟାଚରୁ ୨୫୪ ରନ କରିଛନ୍ତି । ଯେଉଁଥିରେ ୨ଟି ଅର୍ଦ୍ଧଶତକ ସାମିଲ ରହିଛି । ସର୍ବାଧିକ ରନ ସ୍କୋରର ତାଲିକାରେ ବୈଭବ ଚତୁର୍ଥ ସ୍ଥାନରେ ଅଛନ୍ତି । ଲକ୍ଷ୍ନୌ ବିପକ୍ଷରେ ଚୌକା ମାରି ଆଇପିଏଲ୍ରେ ୫୦୦ ରନ୍ ପୂରଣ କରି ଖାତା ଖୋଲିଥିଲେ । ସୂର୍ଯ୍ୟବଂଶୀ ଅନେକ କିମ୍ବଦନ୍ତୀଙ୍କୁ ପଛରେ ପକାଇ ମାତ୍ର ୧୫ ବର୍ଷ ବୟସରେ ଏହି ଗୁରୁତ୍ୱପୂର୍ଣ୍ଣ ରେକର୍ଡ ହାସଲ କରିଛନ୍ତି । ବୈଭବ ସୂର୍ଯ୍ୟବଂଶୀ ଆଇପିଏଲରେ ଦ୍ରୁତତମ ୫୦୦ ରନ କରି ଗ୍ଲେନ୍ ମ୍ୟାକ୍ସୱେଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ଗ୍ଲେନ୍ ମ୍ୟାକ୍ସୱେଲ୍ ୨୬୦ ବଲରେ ୫୦୦ ରନ ପୂରଣ କରିଥିଲେ । ବିସ୍ଫୋରଖ ସୂର୍ଯ୍ୟବଂଶୀ ୨୨୭ ବଲରେ ଏହି ସଫଳତା ହାସଲ କରିଥିଲେ । ପ୍ରିୟାଂଶ ଆର୍ଯ୍ୟ ୨୭୮ ବଲରେ ଏହି ସଫଳତା ହାସଲ କରିଥିଲେ । କିମ୍ବଦନ୍ତୀ ବିରେନ୍ଦ୍ର ସେହୱାଗ ୨୮୦ ବଲରେ ୫ ଶହ ରନ ପୂରଣ କରିଥିଲେ । ନମନ ଧୀର ୨୮୩ ବଲରେ ୫୦୦ ୱିକେଟ ହାସଲ କରିଥିଲେ । ବୈଭବ ସୂର୍ଯ୍ୟବଂଶୀ ଦ୍ରୁତତମ ୫ ଶହ ରନ୍ ପୂରଣ କରିସାରିଛନ୍ତି, କିନ୍ତୁ ସେ ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍ରେ ବିଫଳ ହୋଇଥିଲେ। ସୂର୍ଯ୍ୟବଂଶୀ ୧୧ ବଲ୍ରେ ମାତ୍ର ୮ ରନ୍ କରିଥିଲେ ଏବଂ ମୋହସିନ୍ ଖାନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ମୋହସିନ୍ ଖାନ କେବଳ ବୈଭବଙ୍କୁ ଆଉଟ୍ କରିନଥିଲେ ବରଂ ତାଙ୍କ ବିପକ୍ଷରେ ଏକ ମେଡେନ୍ ଓଭର ମଧ୍ୟ ପକାଇଥିଲେ, ଯାହା ତାଙ୍କ ପାଇଁ ଏକ ବଡ଼ ସଫଳତା । ବୈଭବ ଯେଉଁ ଫର୍ମରେ ରହିଛନ୍ତି ସେ କ୍ରିଜରେ ଥରେ ସେଟ୍ ହେବା ପରେ ବ୍ୟାଟିଂରେ ବିସ୍ଫୋରଣ କରୁଥିଲେ । ତେଣୁ ତାଙ୍କ ୱିକେଟ୍ ଲକ୍ଷ୍ନୌ ପାଇଁ ବଡ଼ ସଫଳତା ଥିଲା । ବ୍ୟାକ୍ ଟୁ ବ୍ୟାକ୍ ୨ଟି ପରାଜୟ ପରେ ରାଜସ୍ଥାନ ପୁଣି ଥରେ ଟ୍ରାକକୁ ଫେରିଛି । ଏକାନ୍ନା ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ୩୨ତମ ଲିଗ୍ ମୁକାବିଲାରେ ରାଜସ୍ଥାନ ୪୦ ରନ୍ରେ ଘରୋଇ ଲକ୍ଷ୍ନୌକୁ ପରାଜିତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୬ ୱିକେଟ ବିନିମୟରେ ୧୫୯ ରନ ସଂଗ୍ରହ କରିଥିଲା । ଜବାବରେ ଲକ୍ଷ୍ନୌ ୧୮ ଓଭରରେ ୧୧୯ ରନ କରି ଅଲ୍ ଆଉଟ୍ ହୋଇଥିଲା । ଅଲରାଉଣ୍ଡ ପ୍ରଦର୍ଶନ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରବିନ୍ଦ୍ର ଜାଡ଼େଜା ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଏହି ବିଜୟ ସହ ରାଜସ୍ଥାନ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ୭ଟି ମ୍ୟାଚରୁ ରାଜସ୍ଥାନ ୫ ବିଜୟ ସହ ୧୦ ପଏଣ୍ଟ ଅର୍ଜନ କରିଛି ।
