ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ୩୩ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଚେନ୍ନାଇ ସୁପର କିଙ୍ଗସ୍ ୧୦୩ ରନ୍ରେ ପରାସ୍ତ କରିଛି। ଚେନ୍ନାଇ ଟିମ୍ ଉଭୟ ବ୍ୟାଟିଂ ଏବଂ ବୋଲିଂ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରିଛି। ମୁମ୍ବାଇ ଟିମ୍ ୧୯ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୪ ରନ୍ ସଂଗ୍ରହ କରିପାରିଛି। ମୁମ୍ବାଇ ୨୦୮ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। କିନ୍ତୁ ଦଳକୁ ଆରମ୍ଭରୁ ବଡ଼ ଝଟକା ଲାଗିଥିଲା। ସ୍କୋର ୧୧ ରନ୍ ମଧ୍ୟରେ ଆଗଧାଡ଼ିର ୩ଜଣ ଖେଳାଳି ଆଉଟ୍ ହୋଇଥିଲେ। ଏଥିରେ ଦାନିଶ ମାଲେୱାର, କ୍ୱିଣ୍ଟନଡି’ କକ୍ ଏବଂ ନମନ ଧୀର ସାମିଲ ଅଛନ୍ତି। ଡି’ କକ୍ ମାତ୍ର ୭ ରନ୍ ସଂଗ୍ରହ କରିଥିଲା ବେଳେ ଅନ୍ୟ ୨ଜଣ ବ୍ୟାଟର ଶୂନ୍ୟ ରନ୍ରେ ଆଉଟ୍ ହୋଇଥିଲେ। ଚତୁର୍ଥ ୱିକେଟ୍ରେ ମୁମ୍ବାଇ ୭୩ ରନ୍ସଂଗ୍ରହ କରିଥିଲା। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଯୁବ ବ୍ୟାଟର ତିଳକ ବର୍ମା ଧୈର୍ଯ୍ୟର ସହିତ ଖେଳିଥିଲେ। ମୁମ୍ବାଇର ସ୍କୋର ୮୪ ରନ୍ରେ ତିଳକ ଆଉଟ ହୋଇଥିଲେ। ସେ ୨୯ଟି ବଲ୍ ଖେଳି ୫ଟି ଚୌକାବଳରେ ୩୭ ରନ୍ ସଂଗ୍ରହ କରିଥିଲେ। ୱାଙ୍ଖେଡେ ଷ୍ଟାଡିୟମରେ ଟସ୍ ଜିଣି ଆୟୋଜକ ମୁମ୍ବାଇ ଟସ୍ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ଚେନ୍ନାଇକୁ ବ୍ୟାଟିଂ କରିବା ପାଇଁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆମନ୍ତ୍ରଣ କରିଥିଲେ। ସଂଜୁସାମସନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ୍ ହରାଇ ୨୦୭ ରନ୍ କରିଥିଲା। ମୁମ୍ବାଇ ବିପକ୍ଷରେ ସଂଜୁ ସାମସନ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ଅପରାଜିତ ଶତକ(୧୦୧ ରନ୍) ସଂଗ୍ରହ କରିଥିଲେ। ୫୪ଟି ବଲ୍ ଖେଳି ୧୦ଟି ଚୌକା ଏବଂ ୬ଟି ଛକା ମାରିଥିଲେ। ଚେନ୍ନାଇ ପାଇଁ ସଂଜୁ ସାମସନ ଏବଂ ଅଧିନାୟକ ଋତୁରାଜ ଗାଏକ୍ୱାର୍ଡ ଇନିଂସ ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍ ପାଇଁ ୩୨ ରନ୍ର ଭାଗିଦାରୀ କରିଥିଲେ। ଗାଏକ୍ୱାର୍ଡ ଆଉଟ୍ ହେବା ପୂର୍ବରୁ ବ୍ୟକ୍ତିଗତ ଭାବେ ୨୨ ରନ୍ ସଂଗ୍ରହ କରିଥିଲେ। ଏଥିରେ ୩ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା। ଚେନ୍ନାଇ ପାଇଁ ସର୍ଫରାଜ ଖାନ ୧୪ ରନ୍, ଡେୱାଲ୍ଡ ବ୍ରେଭିଜ୍ ୨୧ ରନ୍, କାର୍ତ୍ତିକ ଶର୍ମା ୧୮ ରନ୍, ଜେମି ଓଭରଟନ୍ ୧୫ ରନ୍ ସଂଗ୍ରହ କରିଥିଲେ। ମୁମ୍ବାଇ ପକ୍ଷରୁ ଏଏମ୍ ଗଜନଫର ଏବଂ ଅଶ୍ୱନୀ କୁମାରଙ୍କୁ ୨-୨ ୱିକେଟ୍ ମିଳିଥିଲା। ଦ୍ରୁତ ବୋଲର ଜସପ୍ରିତ ବୁମରା ଏବଂ ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।
