ମୁମ୍ବାଇ: ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ନିଜର ଦ୍ୱିତୀୟ ସନ୍ତାନଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଆଶୀର୍ବାଦ ଲୋଡ଼ିବା ପାଇଁ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିର ପରିଦର୍ଶନ କରିଥିଲେ। ଏହି ଦମ୍ପତି ପରସ୍ପରର ହାତ ଧରି ସମାନ ଧରଣର ପାରମ୍ପରିକ ପୋଷାକ ପିନ୍ଧି ମନ୍ଦିରରେ ପହଞ୍ଚିଥିଲେ। ଦୀପିକା ମାଟି ରଙ୍ଗର ଏକ ସୁନ୍ଦର କାରୁକାର୍ଯ୍ୟଯୁକ୍ତ ପୋଷାକ ପିନ୍ଧିଥିବା ବେଳେ ରଣବୀର ଗାଢ଼ ବାଇଗଣୀ ରଙ୍ଗର କୁର୍ତ୍ତା ଏବଂ ଧଳା ପ୍ୟାଣ୍ଟ ପିନ୍ଧିଥିଲେ। ଦୀପିକା ନିଜର ଗର୍ଭାବସ୍ଥାକୁ ସୁରକ୍ଷିତ ରଖିବାକୁ ଯତ୍ନବାନ ଥିବାର ଦେଖାଯାଇଥିଲା, ସେପଟେ ରଣବୀର ତାଙ୍କ ହାତକୁ ସୁରକ୍ଷିତ ଭାବେ ଧରି ରଖିଥିଲେ ଏବଂ ପରେ ତାଙ୍କୁ କାର ଆଡ଼କୁ ନେଇଯାଇଥିଲେ। ଏହି ଦମ୍ପତିଙ୍କ ପାଇଁ ମନ୍ଦିର ପରିଦର୍ଶନର ଏକ ସ୍ୱତନ୍ତ୍ର ବ୍ୟକ୍ତିଗତ ମହତ୍ତ୍ୱ ରହିଛି; କାରଣ ଦୀପିକା ଯେତେବେଳେ ପ୍ରଥମ ସନ୍ତାନଙ୍କୁ ଗର୍ଭରେ ଧାରଣ କରିଥିଲେ, ସେତେବେଳେ ମଧ୍ୟ ସେମାନେ ଏଠାରେ ଆଶୀର୍ବାଦ ଲୋଡ଼ିଥିଲେ। ସେମାନେ ସେପ୍େଟମ୍ବର ୨୦୨୪ରେ ନିଜ ଝିଅ “ଦୁଆ’ଙ୍କୁ ସ୍ୱାଗତ କରିଥିଲେ। ରଣବୀର ଏବଂ ଦୀପିକା ସାଧାରଣତଃ ନିଜ ପାରିବାରିକ ଜୀବନକୁ ଗୋପନୀୟ ରଖନ୍ତି, ଯଦିଓ ସେମାନେ ବେଳେବେଳେ ପିତାମାତା ଭାବରେ ନିଜ ଯାତ୍ରାର ଝଲକ ସେୟାର କରିଥାନ୍ତି। ମନ୍ଦିର ଯିବାର କିଛି ଦିନ ପୂର୍ବରୁ, ସେମାନେ ନିଜ ସନ୍ତାନଙ୍କ ଆଗମନ ପୂର୍ବରୁ କିଛି ଘନିଷ୍ଠ ମୁହୂର୍ତ୍ତର କଳା-ଧଳା ଫଟୋ ସେୟାର କରିଥିଲେ। ଦୁଆଙ୍କ ଦ୍ୱିତୀୟ ଜନ୍ମଦିନ ଅବସରରେ ଏହି ଫଟୋଗୁଡ଼ିକ ସେୟାର କରାଯାଇଥିଲା ଏବଂ ଏହା ପରିବାରର ଏକ ବିରଳ ଝଲକ ପ୍ରଦାନ କରିଥିଲା, କାରଣ ଏହି ଦମ୍ପତି ସେମାନଙ୍କ ଝିଅକୁ ଅଧିକାଂଶ ସମୟରେ ଲୋକଲୋଚନରୁ ଦୂରେଇ ରଖିଛନ୍ତି। ଏହା ପୂର୍ବରୁ ଗୁରୁବାର ଦିନ, ଚାଲିଥିବା ଗଣେଶ ଚତୁର୍ଥୀ ଉତ୍ସବ ସମୟରେ ରଣବୀର “ଲାଲବାଗଚା ରାଜା’ ପଣ୍ଡାଲ ମଧ୍ୟ ପରିଦର୍ଶନ କରିଥିଲେ। ପାରମ୍ପରିକ ଧଳା କୁର୍ତ୍ତା-ପାଇଜାମା ପିନ୍ଧି ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେ ଭଗବାନ ଗଣେଶଙ୍କ ଆଶୀର୍ବାଦ ଲଭ କରିଥିଲେ।
