ଇସଲାମାବାଦ: ଶୁକ୍ରବାର ଦିନ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର କୋହାଟ ସହରରେ ହୋଇଥିବା ଏକ ବିସ୍ଫୋରଣରେ ୫ ଜଣ ପୋଲିସ କର୍ମଚାରୀଙ୍କ ସମେତ ଅତିକମରେ ୧୬ ଜଣ ଲୋକ ପ୍ରାଣ ହରାଇଛନ୍ତି। ଜରୁରୀକାଳୀନ ସେବା ବିଭାଗର ମୁଖପାତ୍ର ବିଲାଲ ଅହମ୍ମଦ ଫୈଜି କହିଛନ୍ତି ଯେ କୋହାଟସ୍ଥିତ “ଓଲ୍ଡ ପୋଲିସ୍ ଲାଇନ୍ସ’ ନିକଟରେ ଏହି ବିସ୍ଫୋରଣ ଘଟିଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଖାଇବର ପଖତୁନଖ୍ୱାର ଇନ୍ସପେକ୍ଟର ଜେନେରାଲ ଜୁଲଫିକର ହମିଦ କହିଛନ୍ତି ଯେ ଏହି ଘଟଣାରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ସମ୍ପର୍କରେ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି। ପ୍ରାରମ୍ଭିକ ସୂଚନା ଆଧାରରେ ହମିଦ ପ୍ରଥମେ କହିଥିଲେ ଯେ ବିସ୍ଫୋରକ ଭର୍ତ୍ତି ଏକ ଗାଡ଼ିକୁ “ଓଲ୍ଡ ପୋଲିସ୍ ଲାଇନ୍ସ’ ନିକଟରେ ଧକ୍କା ଦିଆଯାଇଥିଲା, କିନ୍ତୁ ପରେ ସେ କହିଥିଲେ ଯେ ଜଣେ ଆତ୍ମଘାତୀ ଆକ୍ରମଣକାରୀ “ସ୍ପେଶାଲ ବ୍ରାଞ୍ଚ’ କୋଠା ନିକଟରେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲା। ହମିଦ ଆହୁରି ମଧ୍ୟ କହିଛନ୍ତି ଯେ ପୋଲିସ ଏବଂ “ଫିତ୍ନା-ଉଲ୍-ଖୱାରିଜ୍’ ସଦସ୍ୟଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା ଏବଂ ଖବର ଲେଖାହେବା ସମୟ ମଧ୍ୟରେ ତାହା ଜାରି ରହିଥିଲା। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ସରକାର “ତେହରିକ୍-ଇ-ତାଲିବାନ୍ ପାକିସ୍ତାନ’ ପାଇଁ “ଫିତ୍ନା-ଉଲ୍-ଖୱାରିଜ୍’ ଶବ୍ଦ ବ୍ୟବହାର କରିଥାନ୍ତି। ଏହି ଗୁଳିବିନିମୟରେ ଟିଟିପିର ଜଣେ ସଦସ୍ୟ ନିହତ ହୋଇଛନ୍ତି। ତେବେ ପୋଲିସ ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରିନାହିଁ। ପାକିସ୍ତାନୀ ଶାସନ ବ୍ୟବସ୍ଥା ବିରୋଧୀ ସଶସ୍ତ୍ର ଗୋଷ୍ଠୀଗୁଡ଼ିକ ଗତ ଏକ ବର୍ଷ ମଧ୍ୟରେ ସେମାନଙ୍କ ଆକ୍ରମଣକୁ ତୀବ୍ର କରିଥିବା ବେଳେ ଏହି ଘଟଣା ଘଟିଛି।
