ପୁରୀ: ପୁରୀ ବାଳିକା ମହାବିଦ୍ୟାଳୟର ଛାତ୍ରୀନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣକ ହେଲେ +୩ ପ୍ରଥମ ବର୍ଷ ବାଣିଜ୍ୟ ବିଭାଗର ନନ୍ଦିନୀ ବାଗ (୨୦)। ସୂଚନା ଅନୁଯାୟୀ, ନନ୍ଦିନୀଙ୍କ ଘର ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳରେ। ସେ ମହିଳା ମହାବିଦ୍ୟାଳୟ ଛାତ୍ରୀନିବାସର ୨୨୨ ନମ୍ବର ରୁମରେ ରହୁଥିଲେ।ଆଜି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନନ୍ଦିନୀ ରୁମରୁ ବାହାରକୁ ଆସି ନଥିବାରୁ ସହପାଠୀ ଛାତ୍ରୀମାନେ ତାଙ୍କୁ ଡାକିଥିଲେ। କୌଣସି ସୋର-ଶବ୍ଦ ନ ମିଳିବାରୁ ସେମାନେ ହଷ୍ଟେଲ ୱାର୍ଡେନଙ୍କୁ ଖବର ଦେଇଥିଲେ। ପରେ ୱାର୍ଡେନ ସମୁଦ୍ରକୂଳ ଥାନା ପୋଲିସକୁ ସୂଚନା ଦେଇଥିଲେ।ଖବର ପାଇ ସମୁଦ୍ରକୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରୁମର କବାଟ ଭାଙ୍ଗିଥିଲା। ଭିତରେ ନନ୍ଦିନୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା।ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ ଟେଲିଫୋନ ଯୋଗେ ଖବର ଦିଆଯାଇଛି। ଆସନ୍ତାକାଲି ପରିବାର ଲୋକ ପହଞ୍ଚିବା ପରେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।ଏ ନେଇ ସମୁଦ୍ରକୂଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।
