ପୁରୀ: ପୁରୀ କ୍ଲବ ପରିସରରେ ଗୁରୁବାର ଓଡ଼ିଶା ରାଜ୍ୟ ସବ୍ଜୁନିୟର (୧୫ ବର୍ଷରୁ କମ୍) ଓପନ୍ ଏବଂ ବାଳିକା ଫିଡେ ରେଟେଡ୍ ଚେସ୍ ଚାମ୍ପିୟନସିପ୍ -୨୦୨୬ ଉଦ୍ଘାଟିତ ହୋଇଯାଇଛି। କ୍ଲବ କନଫରେନ୍ସ ହଲ୍ରେ ଆୟୋଜିତ ଏହି ଚାରିଦିନିଆ ପ୍ରତିଯୋଗିତାରେ ରାଜ୍ୟର ୧୬ଟି ଜିଲ୍ଲାରୁ ଯୁବ ଚେସ୍ ଖେଳାଳିମାନେ ଅଂଶଗ୍ରହଣ କରୁଛନ୍ତି। ଭାରତୀୟ ଡାକ ସେବାର ପୁରୀ ଡିଭିଜନ୍ ର ସିନିୟର ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଷ୍ଟ ଅଫିସ୍ ଜଗଦୀଶ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପୁରୀର ଏଡିଏମ୍ ନୀଳମାଧବ ଭୋଇ, ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ର ସଭାପତି ସତ୍ୟରଞ୍ଜନ ପଟ୍ଟନାୟକ, ପୁରୀ ଜିଲ୍ଲା ଚେସ୍ ଆସୋସିଏସନ୍ ର ସମ୍ପାଦକ ବିମଳ ପ୍ରସାଦ ମହାନ୍ତି, ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ର ସମ୍ପାଦକ ଭବେଶ ମହାନ୍ତି, ପୁରୀ କ୍ଲବ ଉପାଧ୍ୟକ୍ଷ ଅଜିତ ରାୟ, ରାଜକିଶୋର ପାତ୍ର, ସୁଶାନ୍ତ ସିଂ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଉଦ୍?ଘାଟନୀ କାର୍ଯ୍ୟକ୍ରମକୁ କ୍ରୀଡ଼ା କମିଟି ଆବାହକ ଡ. ବିଶ୍ୱନାଥ ମିଶ୍ର ସଂଚାଳନ କରିଥିଲେ।ଚାମ୍ପିୟନସିପରେ ମୋଟ ୧୨୪ ଜଣ ପ୍ରତିଯୋଗୀ ଭାଗ ନେଇଛନ୍ତି। ଏଥିରେ ଓପନ୍ ବିଭାଗରେ ୯୧ ଜଣ ଏବଂ ବାଳିକା ବିଭାଗରେ ୩୩ ଜଣ ଖେଳାଳି ଅଛନ୍ତି। ଓପନ୍ ବିଭାଗରେ ୪୧ ଜଣ ଓ ବାଳିକା ବିଭାଗରେ ୧୬ ଜଣ ରେଟେଡ୍ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଉଭୟ ବିଭାଗର ପ୍ରତିଯୋଗିତା ସ୍ୱିସ୍ ଲିଗ୍ ପଦ୍ଧତିରେ ୮ଟି ରାଉଣ୍ଡରେ ଅନୁଷ୍ଠିତ ହେବ। ପ୍ରତି ଖେଳାଳିଙ୍କ ପାଇଁ ୯୦ ମିନିଟ୍? ସମୟ ସହ ପ୍ରଥମ ଚାଲ୍ଠାରୁ ପ୍ରତି ଚାଲ୍ରେ ୩୦ ସେକେଣ୍ଡର ଇନ୍କ୍ରିମେଣ୍ଟ ରହିଛି। ପ୍ରତିଯୋଗିତାର ମୋଟ ପୁରସ୍କାର ରାଶି ୩୦ ହଜାର ଟଙ୍କା ରଖାଯାଇଛି।ଏହି ଅବସରରେ ଏଫ୍ଏମ୍ ହର୍ଷିତ ରଞ୍ଜନ ସାହୁଙ୍କୁ ତୃତୀୟ ଆଇଏମ୍ ନର୍ମ ହାସଲ କରିଥିବାରୁ ଏବଂ ସିଏମ୍ ସାତ୍ତ୍ୱିକ ସ୍ୱାଇଁଙ୍କୁ ଫିଡେ ୱାର୍ଲ୍ଡ କ୍ୟାଡେଟ୍ କପ୍ରେ ବ୍ରୋଞ୍ଜ ସହ କମନ୍ ୱେଲ୍ଥ ଅଣ୍ଡର-୧୦ରେ ଗୋଟିଏ ରୌପ୍ୟ ଓ ଦୁଇଟି ବ୍ରୋଞ୍ଜ ପଦକ ହାସଲ ପାଇଁ ସମ୍ମାନିତ କରାଯାଇଥିଲା। ପ୍ରତ୍ୟେକ ବିଭାଗର ଶ୍ରେଷ୍ଠ ୪ ଜଣ ଖେଳାଳି ଆଗାମୀ ଜାତୀୟ ସବ୍ଜୁନିୟର (ଅଣ୍ଡର-୧୫) ଓପନ୍ ଓ ବାଳିକା ଚେସ୍ ଚାମ୍ପିୟନଶିପ୍ ପାଇଁ ଓଡ଼ିଶା ଦଳରେ ସ୍ଥାନ ପାଇବେ। ଜାତୀୟ ପ୍ରତିଯୋଗିତା ଅକ୍ଟୋବର ୧୨ରୁ ୨୦ ତାରିଖ ପର୍ଯ୍ୟନ୍ତ ତେଲେଙ୍ଗାନାର ହାଇଦ୍ରାବାଦ ସ୍ଥିତ ସରୁର ନଗର ଇନ୍ଡୋର ଷ୍ଟାଡିୟମ୍, ଦିଲ୍ ସୁଖନଗରରେ ଅନୁଷ୍ଠିତ ହେବ।
