ପୁରୀ: ଶ୍ରୀଜଗନ୍ନାଥ ଧାମ ସହ ପୁରୀବାସୀଙ୍କ ସମ୍ପର୍କ ଆସ୍ଥା, ଭାବନା ଓ ପରମ୍ପରାର ଏକ ଅଟୁଟ ବନ୍ଧନ। ପୁରୀବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନରେ ସୁବିଧାଜନକ, ସମ୍ମାନଜନକ ଏବଂ ସ୍ଥାୟୀ ବ୍ୟବସ୍ଥା ଦାବିରେ ଚାଲିଥିବା ଅହିଂସାପୂର୍ଣ୍ଣ ପଦଯାତ୍ରା ଆଜି ୧୬୯ତମ ଦିନରେ ପହଞ୍ଚିଛି। ପ୍ରତିଦିନ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହେଉଥିବା ଏହି ନିରବ ପଦଯାତ୍ରାରେ ପଦଯାତ୍ରୀ ସତ୍ୟାଗ୍ରହୀମାନେ ପତିତପାବନଙ୍କ ଦର୍ଶନ କରି ମହାପ୍ରଭୁଙ୍କ ନିକଟରେ ପୁରୀବାସୀଙ୍କ ଦୀର୍ଘଦିନର ଦାବିର ସ୍ଥାୟୀ ସମାଧାନ ପାଇଁ ପ୍ରାର୍ଥନା କରୁଛନ୍ତି। ପ୍ରବଳ ଗ୍ରୀଷ୍ମ, ବର୍ଷା ଓ ବିଭିନ୍ନ ପ୍ରତିକୂଳତା ସତ୍ତ୍ୱେ ୧୬୯ ଦିନ ଧରି ଏହି ପଦକ୍ଷେପ ଅବିରତ ରହିଛି। ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଏହି ପ୍ରୟାସ କୌଣସି ଦଳୀୟ ରାଜନୀତିର ଅଂଶ ନୁହେଁ; ଏହା ପୁରୀବାସୀଙ୍କ ଭାବନା ଓ ଆକାଂକ୍ଷାକୁ ଅହିଂସାପୂର୍ଣ୍ଣ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରକାଶ କରିବାର ଏକ ପ୍ରୟାସ। ସରକାର ପୁରୀବାସୀଙ୍କ ପ୍ରତିନିଧିମାନଙ୍କ ସହ ସାର୍ଥକ ଆଲୋଚନା କରି ସ୍ପଷ୍ଟ ଓ ସ୍ଥାୟୀ ସମାଧାନର ପଥ ଖୋଜନ୍ତୁ ବୋଲି ସେ ଆହ୍ୱାନ ଜଣାଇଛନ୍ତି।ସତ୍ୟ, ଧୈର୍ଯ୍ୟ ଓ ଅହିଂସାକୁ ଆଧାର କରି ସ୍ଥାୟୀ ବ୍ୟବସ୍ଥା ଘୋଷଣା ହେବା ପର୍ଯ୍ୟନ୍ତ ପଦଯାତ୍ରା ଜାରି ରହିବ ବୋଲି ସତ୍ୟାଗ୍ରହୀମାନେ ଦୃଢ଼ ସଂକଳ୍ପ ପ୍ରକାଶ କରିଛନ୍ତି।ଏହି ଅବସରରେ ହରିଶଙ୍କର ମିଶ୍ର, ବିଶ୍ୱନାଥ ମିଶ୍ର, ସୁକାନ୍ତ ପଣ୍ଡା, ନୃସିଂହନାଥ ନାୟକ, କିଶୋର ଚନ୍ଦ୍ର ଦାସ, ରମେଶ ଚନ୍ଦ୍ର ମହାନ୍ତି, ଯାଦବାନନ୍ଦ ରାୟ, କାହ୍ନୁଚରଣ ପ୍ରଧାନ, ଅରୁଣା ପଟ୍ଟନାୟକ, ପୂଜା କିନ୍ନର, ରିଆ କିନ୍ନର, ଶିଲା କିନ୍ନର, ବେବି ଚୌଧୁରୀ, ଶ୍ରାବଣୀ ଦାସ, ବାବୁନି ଦାସ, ନେହା ଦାସ, ପ୍ରୀତି ଦାସ, ରୋଜାଲିନ ବେହେରା, ତନୁପ୍ରିୟା ଦାସ, ଅଞ୍ଜଳି ପରାସର, ମମତା ସ୍ୱାଇଁ, ପ୍ରକାଶ ଚନ୍ଦ୍ର ନାୟକ, ଶେଷଦେବ ସ୍ୱାଇଁ, ଗଦାଧର ମହାରଣା, ସନ୍ତୋଷ ସେନାପତି, ଲିଙ୍ଗରାଜ ସାହୁ, ବରୁଣ ମହାପାତ୍ର, ବାପିନା ସାମନ୍ତରାୟ, କାଶୀନାଥ ସାହୁ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ୧୬୯ତମ ଦିନର ପଦଯାତ୍ରାରେ ସାମିଲ ହୋଇଥିଲେ। ୧୬୯ ଦିନର ପଦଚିହ୍ନ କହୁଛି; ପଦଯାତ୍ରା ଶାନ୍ତ, ସଂକଳ୍ପ ଅଟଳ ଏବଂ ଆଶା ଅବିଚଳ।
