ବାରିପଦା; ମୟୂରଭଞ୍ଜ ଜିଲ୍ଲା, ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ସ୍ଥିତ ୟୁନିଅନ ବ୍ୟାଙ୍କ ଶାଖାରେ ବଡ଼ ଧରଣର ଲୁଟ୍ ଉଦ୍ୟମକୁ ପଣ୍ଡ କରିଛି ପୁଲିସ। ବିଳମ୍ବିତ ରାତିରେ ବ୍ୟାଙ୍କର ଶଟର୍ ତାଲା କାଟି ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ୭ ଜଣଙ୍କୁ ପୁଲିସ କାବୁ କରିଥିବାର ସୂଚନା ମିଳିଛି। ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ନାଇଟ୍ ପାଟ୍ରୋଲିଂ ଟିମ୍ ବ୍ୟାଙ୍କ ନିକଟରେ ପହଞ୍ଚିଥିଲା। ସେତେବେଳେ କିଛି ବ୍ୟକ୍ତି ବ୍ୟାଙ୍କର ମୁଖ୍ୟ ଶଟର୍ ତାଲା କାଟି ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ର ଦେଖାଯାଇଥିଲା। ପୁଲିସ ଟିମ୍ ତୁରନ୍ତ ବ୍ୟାଙ୍କ ପରିସରକୁ ଘେରାଉ କରିଥିଲା। ପୁଲିସକୁ ଦେଖି ଅଭିଯୁକ୍ତମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ।

ତେବେ ପୁଲିସ ଘେରାଉ କରି ୭ ଜଣଙ୍କୁ କାବୁ କରିଥିଲା। ଘଟଣାସ୍ଥଳରୁ ଲୁଟ୍ରେ ବ୍ୟବହାର ହୋଇଥିବା ସନ୍ଦେହରେ କଟିଂ ଉପକରଣ, ଲୁହା ରଡ୍, ଛୁରୀ ଓ ତାଲା ଭାଙ୍ଗିବା ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛି। ଏଥିସହ ଘଟଣାସ୍ଥଳରୁ ପଶ୍ଚିମବଙ୍ଗ ନମ୍ବର ଡଈ ୦୨ତ ୯୭୫୬ ଥିବା ଗୋଟିଏ ଚାରିଚକିଆ ଗାଡ଼ି ମଧ୍ୟ ଜବତ ହୋଇଥିବାର ସୂଚନା ଦେଇଛନ୍ତି ବେତନୋଟି ଏସଡିପିଓ ମିନତୀ ବିଶ୍ୱାଳ। ଘଟଣା ସମୟର ସମ୍ପୂର୍ଣ୍ଣ ଗତିବିଧି ବ୍ୟାଙ୍କର ଉଉଞଠ କ୍ୟାମେରାରେ କଏଦ ହୋଇଥିବା ସୂଚନା ମିଳିଛି। ଉଉଞଠ ଫୁଟେଜ୍ ଓ ଜବତ ସାମଗ୍ରୀକୁ ଆଧାର କରି ପୁଲିସ ତଦନ୍ତ ଆଗକୁ ବଢ଼ାଉଛି। ଗିରଫ ୭ ଜଣଙ୍କୁ ପଚରାଉଚରା କରାଯାଉଥିବା ବେଳେ ଏହି ଘଟଣା ପଛରେ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍ର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି। ସେହିପରି ସ୍ଥାନୀୟ ଅଞ୍ଚଳରୁ କେହି ସୂଚନା ଯୋଗାଇଥିଲେ କି ନାହିଁ, ତାହା ମଧ୍ୟ ଖୋଳତାଡ଼ କରୁଛି ପୁଲିସ। ତେବେ ପୁଲିସର ତତ୍କାଳ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବ୍ୟାଙ୍କରୁ ଟଙ୍କା କିମ୍ବା ସମ୍ପତ୍ତି ଲୁଟ୍ ହେବା ପୂର୍ବରୁ ଉଦ୍ୟମକୁ ପଣ୍ଡ କରାଯାଇଥିବା ଜଣାପଡ଼ିଛି। ଏବେ ତଦନ୍ତ ଆଗକୁ ବଢ଼ିବା ସହ ଘଟଣା ପଛର ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।
