ପୁରୀ: ଝିପିଝିପି ବର୍ଷାରେ ରାସ୍ତା ଭିଜୁଥିଲା, ହେଲେ ପୁରୀବାସୀଙ୍କ ସଂକଳ୍ପ ଭିଜିନଥିଲା। ଶ୍ରୀମନ୍ଦିରରେ ପୁରୀବାସୀଙ୍କ ପାଇଁ ସହଜ, ସ୍ୱତନ୍ତ୍ର ଓ ସମ୍ମାନଜନକ ଦର୍ଶନ ବ୍ୟବସ୍ଥାର ଦାବିରେ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୧୬୬ ଦିନରେ ପହଞ୍ଚିଛି। ପାଗ ଅନୁକୂଳ ନଥିବା ସତ୍ତ୍ୱେ ପଦଯାତ୍ରୀ ସତ୍ୟାଗ୍ରହୀମାନେ ନିଜର ଦାବି ଓ ସଂକଳ୍ପରୁ ପଛକୁ ହଟିନାହାନ୍ତି। ଗତ ୧ ଏପ୍ରିଲରୁ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ପୁରୀବାସୀଙ୍କ ଅଧିକାର ଓ ଭାବନାର ସ୍ୱରକୁ ଆହୁରି ଦୃଢ଼ କରୁଛି। ଶ୍ରୀମନ୍ଦିର କେବଳ ଏକ ଧାର୍ମିକ ପୀଠ ନୁହେଁ; ପୁରୀର ସାମାଜିକ ଜୀବନ, ପରମ୍ପରା, ସଂସ୍କୃତି ଓ ଜନମାନସ ସହ ଏହାର ଗଭୀର ସମ୍ପର୍କ ରହିଛି। ଏହି ଐତିହ୍ୟ ଓ ଭାବନାକୁ ଦୃଷ୍ଟିରେ ରଖି ପୁରୀବାସୀଙ୍କ ପାଇଁ ସ୍ଥାୟୀ ଦର୍ଶନ ବ୍ୟବସ୍ଥା କରିବାକୁ ଦାବି ହୋଇଆସୁଛି। ଆଜି ବର୍ଷା ମଧ୍ୟରେ ଭକ୍ତ ସାଲବେଗ ପୀଠରେ ସତ୍ୟାଗ୍ରହୀମାନେ ଏକତ୍ରିତ ହୋଇଥିଲେ। ସେଠାରୁ ଶାନ୍ତିପୂର୍ଣ୍ଣ ଭାବେ ପଦଯାତ୍ରା କରି ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ।

ପରେ ପତିତପାବନଙ୍କ ଦର୍ଶନ କରି ପୁରୀବାସୀଙ୍କ ଦାବିର ଶୀଘ୍ର ସମାଧାନ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।ପଦଯାତ୍ରାର ଆବାହକ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି, “ଆଜି ଝିପିଝିପି ବର୍ଷା ମଧ୍ୟରେ ୧୬୬ ଦିନରେ ଆମ ପଦଯାତ୍ରା ପହଞ୍ଚିଛି। ପ୍ରତିକୂଳ ପାଗ ଆମକୁ ରୋକି ପାରିନାହିଁ, କାରଣ ଏହା କେବଳ ଏକ ପଦଯାତ୍ରା ନୁହେଁ, ଏହା ପୁରୀବାସୀଙ୍କ ଭାବନା ଓ ନ୍ୟାୟସଙ୍ଗତ ଦାବିର ସ୍ୱର। ଆମେ କାହାର ବିରୋଧୀ ନୁହେଁ। ଶାନ୍ତି, ସତ୍ୟ ଓ ଅହିଂସାର ପଥରେ ରହି ସରକାରଙ୍କ ନିକଟରେ ଆମ ଦାବି ରଖୁଛୁ। ସରକାର ପୁରୀବାସୀଙ୍କ ଦାବି ପ୍ରତି ସମ୍ବେଦନଶୀଳ ହୋଇ ଏକ ସ୍ଥାୟୀ ସମାଧାନର ବ୍ୟବସ୍ଥା କରନ୍ତୁ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଅହିଂସାପୂର୍ଣ୍ଣ ସତ୍ୟାଗ୍ରହ ଜାରି ରହିବ। ସତ୍ୟାଗ୍ରହୀମାନେ କହିଛନ୍ତି ଯେ ଏହି ଅଭିଯାନ କୌଣସି ଦଳ, ନେତା କିମ୍ବା ବ୍ୟକ୍ତିବିଶେଷଙ୍କ ବିରୋଧରେ ନୁହେଁ। ଗଣତାନ୍ତ୍ରିକ ପଦ୍ଧତିରେ ନିଜର ଦାବି ଜଣାଇବା ଓ ଏକ ସ୍ଥାୟୀ ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ହିଁ ଏହି ଆନ୍ଦୋଳନର ଉଦ୍ଦେଶ୍ୟ। ବର୍ଷା, ରୋଦ କିମ୍ବା ଅନ୍ୟାନ୍ୟ ପ୍ରତିକୂଳତା—କୌଣସି ପରିସ୍ଥିତିରେ ମଧ୍ୟ ଅହିଂସାର ପଥରୁ ବିଚ୍ୟୁତ ନ ହେବାକୁ ସେମାନେ ସଂକଳ୍ପବଦ୍ଧ।ରବିବାର ପଦଯାତ୍ରାରେ ସର୍ବଶ୍ରୀ ଶିବସୁନ୍ଦର ମିଶ୍ର, ଚକ୍ରଧର ମହାପାତ୍ର, ବିଶ୍ୱନାଥ ମିଶ୍ର, ସୁକାନ୍ତ ପଣ୍ଡା, ଯାଦବାନନ୍ଦ ରାୟ, ମନୋରଞ୍ଜନ ରଣସିଂହ, ଶିଶିରକାନ୍ତ ଶତପଥୀ, ଗଦାଧର ମହାରଣା, ପ୍ରଣତୀ ରାୟ, ମମତା ସ୍ୱାଇଁ, ପ୍ରକାଶ ଚନ୍ଦ୍ର ନାୟକ, କାଶୀନାଥ ସାହୁ, ଅମ୍ରିତ ସାମନ୍ତରାୟ ଓ ମାନସ ପଟ୍ଟନାୟକଙ୍କ ସମେତ ବହୁ ସତ୍ୟାଗ୍ରହୀ ଯୋଗଦେଇଥିଲେ।

୧୬୬ ଦିନ ଧରି ଚାଲିଥିବା ଏହି ପଦଯାତ୍ରା ଏବେ ପୁରୀବାସୀଙ୍କ ଦୃଢ଼ ଇଚ୍ଛାଶକ୍ତିର ଏକ ପ୍ରତୀକ ହୋଇଛି। ଆଜିର ଝିପିଝିପି ବର୍ଷା ଯେପରି ଏହି ସଂକଳ୍ପକୁ ଆହୁରି ଦୃଢ଼ କରିଦେଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସତ୍ୟ, ଅହିଂସା ଓ ଶାନ୍ତିର ପଥରେ ଏହି ପଦଯାତ୍ରା ଅବ୍ୟାହତ ରହିବ ବୋଲି ସତ୍ୟାଗ୍ରହୀମାନେ ପୁନର୍ବାର ଘୋଷଣା କରିଛନ୍ତି।
