ନୂଆଦିଲ୍ଲୀ: ଶନିବାର ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଏହା ମାଧ୍ୟମରେ ଏହି ଗୋଷ୍ଠୀର ତିନୋଟି ପ୍ରମୁଖ ସଦସ୍ୟ ଦେଶର ନେତାମାନେ ଏକତ୍ରିତ ହୋଇଛନ୍ତି। ଜାତୀୟ ରାଜଧାନୀରେ ୧୮ତମ ବ୍ରିକ୍ସ ସମ୍ମିଳନୀ ଚାଲିଥିବା ବେଳେ ଏହି ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ନେତାମାନେ ବିଶ୍ୱସ୍ତରୀୟ ସଂଘର୍ଷ, ଅର୍ଥନୈତିକ ସହଯୋଗ, ବାଣିଜ୍ୟ ଏବଂ ବହୁପକ୍ଷୀୟ ସଂସ୍ଥାଗୁଡ଼ିକର ଭବିଷ୍ୟତ ବିଷୟରେ ଆଲୋଚନା କରୁଛନ୍ତି। ମୋଦୀ, ସି ଏବଂ ପୁଟିନଙ୍କ ଏହି ସାକ୍ଷାତ ବିଶେଷ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ୨୦୨୦ ଗଲୱାନ୍ ଉପତ୍ୟକା ସଂଘର୍ଷ ପରଠାରୁ ଦୀର୍ଘ ବର୍ଷ ଧରି ଲାଗିରହିଥିବା ଉତ୍ତେଜନା ପରେ ଭାରତ ଏବଂ ଚୀନ୍ ନିଜର ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି। ସାତ ବର୍ଷ ମଧ୍ୟରେ ସିଙ୍କର ଏହା ପ୍ରଥମ ଭାରତ ଗସ୍ତ ହୋଇଥିବା ବେଳେ ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ନିୟମିତ ଭାବେ ଜାରି ରହିଛି। ଶୁକ୍ରବାର ଦିନ ମୋଦୀ ପୁଟିନଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ କରିସାରିଛନ୍ତି, ଯେଉଁଥିରେ ଉଭୟ ନେତା ପ୍ରତିରକ୍ଷା, ଶକ୍ତି, ବାଣିଜ୍ୟ, ମହାକାଶ ଏବଂ ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ସହଯୋଗର ସମୀକ୍ଷା କରିଥିଲେ। ପୁଟିନ ମଧ୍ୟ ମୋଦୀଙ୍କୁ ପରବର୍ତ୍ତୀ ଭାରତ-ରୁଷ ବାର୍ଷିକ ସମ୍ମିଳନୀ ପାଇଁ ଋଷକୁ ନିମନ୍ତ୍ରଣ କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିଲେ। ଈଜଓଉଝ ସମ୍ମିଳନୀ ଅବସରରେ ମୋଦୀ ଏବଂ ସି ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବାର ସମ୍ଭାବନା ରହିଛି। ଭାରତ-ଚୀନ୍ ସମ୍ପର୍କକୁ ସ୍ଥିର କରିବା ଏବଂ ବିଭିନ୍ନ ମତଭେଦର ସମାଧାନ କରିବା ପାଇଁ ଚାଲିଥିବା ପ୍ରୟାସ ମଧ୍ୟରେ ସେମାନଙ୍କ ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି। ତିନି ନେତାଙ୍କ ଏହି ଫଟୋ ବ୍ରିକ୍ସ ମଧ୍ୟରେ ଭାରତ, ଚୀନ୍ ଏବଂ ଋଷର ଗୁରୁତ୍ୱକୁ ଦର୍ଶାଉଛି।
