ପୁରୀ: ପୁରୀ ପୋଲିସ ଅଧୀନସ୍ଥ ସିଟି ସବଡିଭିଜନରେ ସମସ୍ତ ଥାନା ପକ୍ଷରୁ ସାର୍ବଜନୀନ ସ୍ଥାନରେ ମଦ୍ୟପାନ, ଅସାମାଜିକ କାର୍ଯ୍ୟକଳାପ ଓ ସାମାଜିକ ଶୃଙ୍ଖଳା ଭଙ୍ଗକୁ ରୋକିବା ପାଇଁ ନିରନ୍ତର ଭାବେ ବିଶେଷ ଅଭିଯାନ ଚାଲୁ ରହିଛି। ପର୍ଯ୍ୟଟନ ସହର ଭାବେ ପରିଚିତ ପୁରୀରେ ପ୍ରତିଦିନ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଆଗମନ କରୁଥିବାରୁ ସାଧାରଣ ଶାନ୍ତି, ନିରାପତ୍ତା ଓ ସୁସ୍ଥ ପରିବେଶ ବଜାୟ ରଖିବା ପୁରୀ ପୋଲିସର ପ୍ରାଥମିକ ଦାୟିତ୍ୱ। ଏହି ପରିପ୍ରେକ୍ଷିତରେ, ତିନିଦିନରେ ସମସ୍ତ ଥାନା ଅଞ୍ଚଳରେ ସଂଯୁକ୍ତ ଭାବେ ଏକ ବିଶେଷ ଅଭିଯାନ ଚାଲିଥିଲା। ଏହି ଅଭିଯାନ ସମୟରେ ସାର୍ବଜନୀନ ସ୍ଥାନରେ ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହି ଅବଧିରେ ସର୍ବମୋଟ ୭୧ ଜଣ ବ୍ୟକ୍ତିଙ୍କ ବିରୋଧରେ ପିଆର ଦାଖଲ କରାଯାଇଛି। ଏହା ସହିତ, ଗତକାଲି ଏହି ଅଭିଯାନରେ ୨୬ ଜଣ ବ୍ୟକ୍ତିଙ୍କ ବିରୋଧରେ ପିଆର ଦିଆଯାଇଛି ।

ଏହିପରି, ମୋଟ ୯୭ ଜଣ ବ୍ୟକ୍ତିଙ୍କ ବିରୋଧରେ ସାର୍ବଜନୀନ ସ୍ଥାନରେ ମଦ୍ୟପାନ ଅଭିଯୋଗରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି। ଟାଉନ୍ ଥାନା ୬, ସୀବିଚ୍ ଥାନା ୧୨, କୁମ୍ଭାରପଡା ଥାନା ୧୭ ବାଲିଆପଣ୍ଡା ଥାନା ୧୫, ଟ୍ରାଫିକ୍ ୬, ତାଳବଣିଆ ଥାନା ୧୫ ଜଣଙ୍କ ବିରୋଧରେ ଆଇନିଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେହିପରି ଗତକାଲି ଟାଉନ୍ ଥାନା ୩, ସୀବିଚ୍ ଥାନା ୯କୁମ୍ଭାରପଡା ଥାନା ୫, ବାଳିଆପଣ୍ଡା ଥାନା ୬, ଟ୍ରାଫିକ୍ ଥାନା ୧, ତାଳବଣିଆ ଥାନା ୨ ଜଣଙ୍କ ବିରୋଧରେ ପିଆର ଦିଆଯାଇଛି। ପୁରୀ ପୋଲିସ ଦ୍ୱାରା ସ୍ପଷ୍ଟ କରାଯାଉଛି ଯେ ସାର୍ବଜନୀନ ସ୍ଥାନରେ ମଦ୍ୟପାନ କରିବା ଆଇନଗତ ଭାବେ ଦଣ୍ଡନୀୟ ଅପରାଧ ଓ ଏହା ସାମାଜିକ ଶୃଙ୍ଖଳାକୁ ହାନି କରେ। ଏହିପରି କାର୍ଯ୍ୟକଳାପ ଫଳରେ ସାଧାରଣ ଲୋକ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅସୁବିଧା ଓ ଅସ୍ଥିରତା ସୃଷ୍ଟି ହୁଏ। ଏହି ଅଭିଯାନ ମାଧ୍ୟମରେ ପୁରୀ ପୋଲିସ ଦୃଢ଼ ସନ୍ଦେଶ ଦେଉଛି ଯେ ଆଗାମୀ ଦିନରେ ମଧ୍ୟ ଏପରି ଅସାମାଜିକ କାର୍ଯ୍ୟକଳାପ ବିରୋଧରେ କଡାକଡି ଭାବେ ଆଇନଗତ ପଦକ୍ଷେପ ଜାରି ରହିବ। ସମସ୍ତ ନାଗରିକଙ୍କୁ ନିବେଦନ କରାଯାଉଛି ଯେ ସେମାନେ ସ୍ୱଇଚ୍ଛାରେ ଆଇନକୁ ସମ୍ମାନ କରି ସାର୍ବଜନୀନ ସ୍ଥାନରେ ମଦ୍ୟପାନ ରୁ ବିରତ ରୁହନ୍ତୁ ଏବଂ ପୋଲିସଙ୍କୁ ସହଯୋଗ କରନ୍ତୁ।ପୁରୀ ପୋଲିସ ସଦା ସମୟରେ ନାଗରିକ ସୁରକ୍ଷା, ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରତିବଦ୍ଧ ଅଟେ ଏବଂ ଏହା ପାଇଁ ସମସ୍ତଙ୍କ ସହଯୋଗ ଅତ୍ୟାବଶ୍ୟକ।
