ଭଂଜନଗର: ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳର ଭୁରୁଡୁପଲ୍ଲୀ ଗାଁ ଅଞ୍ଚଳରେ ଚିନ୍ତା ବଢ଼ାଇଛି ଦନ୍ତାହାତୀ । ଗଲା କିଛି ଦିନ ହେଲା, ସନ୍ଧ୍ୟା ହେଲେ ସ୍ଥାନୀୟ ଅଞ୍ଚଳ ଜନଶୂନ୍ୟ ହୋଇ ପଡୁଛି । ସୂଚନା ପ୍ରକାରେ ଗାଲେରୀ ବନାଞ୍ଚଳର ଭୁରୁଡୁପଲ୍ଲି ଟଭା ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଗାଁ ଭିତରେ ଦନ୍ତାହାତୀ ଟି ଆତଙ୍କ ଖେଳାଇଥିଲା । ଗୋଟିଏ ପାନ ଦୋକାନ, ଘର ଭାଙ୍ଗିଲା । ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଗାଁ ନିକଟରେ ଆତଙ୍କ ସୃଷ୍ଟି କଲା ଦନ୍ତା । ଗାଁର ଟଭା ସାହିରେ ପଶି, ଖଦାଳ ମଲ୍ଲିକ ଶୋଇଥିବା ସମୟରେ ଘରର କାନ୍ଥ ଭାଙ୍ଗି ଦେଇଥିଲା । ଘର ଲୋକ ପାଟିତୁଣ୍ଡ କରିବାରୁ ଦନ୍ତା ହାତୀ, ସେଠାରୁ ଚାଲିଯାଇଥିଲା । ଏହି ଘଟଣା ପରେ, ସନ୍ଧ୍ୟାହେଲେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଭୟଭୀତ ଅବସ୍ଥାରେ ରହୁଛନ୍ତି । ଅନ୍ୟପକ୍ଷରେ ବନାଞ୍ଚଳରେ ପ୍ରାୟ ବର୍ଷେ ହେବ ବନାଞ୍ଚଳ ପଦବି ଖାଲି ପଡ଼ିଛି । ଏବେ ଗାଲେରୀ ବନାଞ୍ଚଳ ମୁରବି ଶୂନ୍ୟ ହୋଇ ପଡିଛି । ଲୋକେ ଗୁହାରି କରିବାକୁ ହେଲେ, ବନାଞ୍ଚଳ ଅଧିକାରୀଙ୍କୁ ଦେଖି ପାରୁନାହାନ୍ତି । ଯାହା ଫଳରେ, ଏବେ କ୍ଷତିଗ୍ରସ୍ତ ପରିବାରକୁ କ୍ଷତି ପୂରଣ ଯୋଗାଇ ଦେବାପାଇଁ, କ୍ଷତିଗ୍ରସ୍ତ ପରିବାର ଏବଂ ଜନସାଧାରଣ ଦାବି କରିଛନ୍ତି ।
