ବାରିପଦା: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ଆୟୋଜିତ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମୁହର ଜୋନାଲ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାରିପଦା ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ୧୬ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାର ଫାଇନାଲ ମ୍ୟାଚ ମା’ ଦୁଆରସୁଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସୀମାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଝାଡ଼ପୋଖରିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ପରେ ପେନାଲ୍ଟି ସୁଟଆଉଟରେ ୫-୪ ଗୋଲରେ ସୀମାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପରାସ୍ତ କରି ମା’ ଦୁଆରସୁଣି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜୋନାଲ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି । ଏହି ପ୍ରତିଯୋଗିତାକୁ ତନ୍ମୟ ମାରାଣ୍ଡି, ସୁଦାମ ମୁର୍ମୁ, ସୁନୀଲ ହେମ୍ବ୍ରମ, କାଳିଦାସ କିସ୍କୁ, ଶିବଶଙ୍କର ମହାନ୍ତ ଓ ମନୋହର ବେହେରା ପରିଚାଳନା କରିଥିବା ବେଳେ, ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସୀମାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରହଲ୍ଲାଦ ଅଗସ୍ତି ଏବଂ ସମାଜସେବୀ ତଥା ମୟୂରଭଞ୍ଜ ଆଥଲେଟିକ ଆସୋସିଏସନ୍ର ଫୁଟବଲ ସମ୍ପାଦକ ଅମର କୁମାର ସେଠୀ ଯୋଗ ଦେଇଥିଲେ। ବାରିପଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ତାପସ କୁମାର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ରୀଡ଼ା ପ୍ରତିଯୋଗିତା ସମ୍ପନ୍ନ ହୋଇଥିବା ବେଳେ ଅଧ୍ୟାପକ ରାଜୀବ କୁମାର ସାହୁ, କାଳୀପଦ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।
