ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ୍ ଖେଳାଳି ତନ୍ଭି ପତ୍ରୀ ଇତିହାସ ସୃଷ୍ଟି କରିଛନ୍ତି। ସେ ୟୁଥ୍ ଅଲିମ୍ପିକ୍ ଗେମ୍ସର ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିବାରେ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ୍ ଖେଳାଳି ହୋଇଛନ୍ତି ଏବଂ ଏହି କ୍ରୀଡ଼ାରେ ଭାରତ ପାଇଁ ଏକ ପଦକ ନିଶ୍ଚିତ କରିଛନ୍ତି। ୧୫ ବର୍ଷୀୟା ତନ୍ଭି ଏକ ଚମତ୍କାର ପ୍ରଦର୍ଶନ କରି ଜାପାନର ଦ୍ୱିତୀୟ ସିଡ୍ ଖେଳାଳି ୟୁଜୁନୋ ୱାଟାନାବେଙ୍କୁ ପରାସ୍ତ କରିଛନ୍ତି। ୫୪ ମିନିଟ୍ ଧରି ଚାଲିଥିବା ଏହି ରୋମାଞ୍ଚକର ସେମିଫାଇନାଲ୍ ମୁକାବିଲାରେ ସେ ୱାଟାନାବେଙ୍କୁ ୨୧-୧୪, ୧୧-୧, ୨୧-୧୯ ସେଟ୍?ରେ ହରାଇଛନ୍ତି। ଏକ ଉତ୍ତେଜନାପୂର୍ଣ୍ଣ ସେମିଫାଇନାଲ୍ ଏହି ମୁକାବିଲା ଅତ୍ୟନ୍ତ କଡ଼ା ସଂଘର୍ଷପୂର୍ଣ୍ଣ ଥିଲା। ଉଭୟ ଖେଳାଳି ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ ଏବଂ ସହଜରେ କୌଣସି ପଏଣ୍ଟ ହାତଛଡ଼ା କରିବାକୁ ଦେଇନଥିଲେ। ତନ୍ଭି ମ୍ୟାଚ୍ର ଆରମ୍ଭ ବେଶ୍ ଭଲ କରିଥିଲେ ଏବଂ ପ୍ରଥମ ଗେମ୍କୁ ୨୧-୧୪ରେ ଜିତି ନେଇଥିଲେ। କିନ୍ତୁ ଦ୍ୱିତୀୟ ଗେମ୍ରେ ୱାଟାନାବେ ପ୍ରତ୍ୟାବର୍ତ୍ତନ କରି ୨୧-୧୧ରେ ଜିତିଲେ, ଯାହା ଫଳରେ ମ୍ୟାଚ୍ଟି ନିର୍ଣ୍ଣାୟକ ତୃତୀୟ ଗେମ୍କୁ ଗଲା। ତୃତୀୟ ତଥା ନିର୍ଣ୍ଣାୟକ ଗେମ୍ରେ ଉଭୟ ଖେଳାଳିଙ୍କ ମଧ୍ୟରେ କଡ଼ା ଲଢ଼େଇ ଦେଖିବାକୁ ମିଳିଥିଲା। ତେବେ, ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ତନ୍ଭୀ ନିଜର ସଂଯମତା ବଜାୟ ରଖିଥିଲେ ଏବଂ ଜାପାନୀ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୨୧-୧୯ରେ ପରାସ୍ତ କରି ଏକ ସ୍ମରଣୀୟ ବିଜୟ ହାସଲ କରିଥିଲେ। ଏହା ସହ ସେ ସ୍ୱର୍ଣ୍ଣ ପଦକ ପାଇଁ ହେବାକୁ ଥିବା ଫାଇନାଲ୍ ମ୍ୟାଚ୍ରେ ନିଜ ସ୍ଥାନ ପକ୍କା କରିଛନ୍ତି। ଏହି ସଫଳତା ସହିତ, ତନ୍ଭି ୟୁଥ୍ ଅଲିମ୍ପିକ୍ ଗେମ୍ସର ବ୍ୟାଡମିଣ୍ଟନ୍ ଫାଇନାଲରେ ପହଞ୍ଚିବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଏହା ସ ଫାଇନାଲରେ ଭାରତୀୟ ଖେଳାଳି ଚୀନର ୟି ସିନ୍ ଝାଙ୍ଗଙ୍କୁ ଭେଟିବେ, ଯିଏ ନିକଟରେ ବିଶ୍ୱ ଜୁନିୟର ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ପୂର୍ବରୁ ଉଭୟଙ୍କ ମଧ୍ୟରେ କେବଳ ଥରେ ମୁକାବିଲା ହୋଇଥିଲା—ଚଳିତ ବର୍ଷ ଏସିଆ ଜୁନିୟର ଚାମ୍ପିୟନସିପର କ୍ୱାର୍ଟର ଫାଇନାଲରେ। ସେହି ମ୍ୟାଚରେ ତନ୍ଭି ଏକ କଡ଼ା ମୁକାବିଲା ପରେ ୧୮-୨୧, ୧୬-୨୧ ସେଟ୍ରେ ପରାସ୍ତ ହୋଇଥିଲେ।
