ନୂଆଦିଲ୍ଲୀ: ଗୁରୁବାର ସକାଳେ ପୁରୁଣା ଦିଲ୍ଲୀର ଚାୱରୀ ବଜାର ଅଞ୍ଚଳରେ ନିର୍ମାଣାଧୀନ ଥିବା ଏକ ତିନି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିବାରୁ ଅନ୍ତତଃ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ଚାୱରୀ ବଜାର ମେଟ୍ରୋ ଷ୍ଟେସନ୍ ନିକଟସ୍ଥ ଗଳି ସିତାରାରେ ସକାଳ ପ୍ରାୟ ୯ଟା ୫୦ ମିନିଟ୍ ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଦିଲ୍ଲୀ ଅଗ୍ନିଶମ ସେବାର ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ମଧ୍ୟରୁ ଦୁଇଟି ମୃତଦେହ ଉଦ୍ଧାର କରିଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି। ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ସ୍ଥାନୀୟ ଲୋକମାନେ ଚାରି ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇ ଦେଇଥିଲେ। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ଅଗ୍ନିଶମ ସେବାର ଜଣେ ଅଧିକାରୀ କହିଛନ୍ତି, ଅନ୍ତତଃ ୧୫ ଜଣ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଅନେକ ଲୋକ ଆହତ ହୋଇଛନ୍ତି। ଘଟଣା ଘଟିବା ପରେ ଅଗ୍ନିଶମ ବାହିନୀର ଅନ୍ତତଃ ୬ଟି ୟୁନିଟ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବରିଷ୍ଠ ଅଧିକାରୀମାନେ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।
